ପୁରୀ: ବଡ଼ଦାଣ୍ଡର ଏକ ହୋଟେଲକୁ ଅବଢ଼ା ମନା। କୌଣସି ଭକ୍ତ ହୋଟେଲ ରୁମ୍କୁ ଅବଢ଼ା ଆଣି ପାରିବେ ନାହିଁ। ଏମିତି ଲିଖିତ କଟକଣା ଲଗାଇଛନ୍ତି ହୋଟେଲ ପରିଚାଳନା କର୍ତ୍ତୃପକ୍ଷ। ଯାହାକୁ ନେଇ ହୋଟେଲରେ ରହୁଥିବା ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏପରିକି ଏହାକୁ ନେଇ ସୋମବାର ଯାତ୍ରୀ ପଣ୍ଡା ଏବଂ ହୋଟେଲ କର୍ମଚାରୀଙ୍କ ମଧ୍ୟରେ ବାକ୍ ବିତଣ୍ଡା ବି ହୋଇଛି।
ବଡ଼ଦାଣ୍ଡସ୍ଥିତ ଟାଉନ୍ ଥାନା ପୂର୍ବରୁ ରହିଛି ଏକ ପ୍ରମୁଖ ହୋଟେଲ। ଏହି ହୋଟେଲର ମାଲିକ ହେଉଛନ୍ତି ଜଣେ ସେବାୟତ। ତାଙ୍କ ମାଲିକାନାରେ ପୁରୀରେ ଏକାଧିକ ହୋଟେଲ ରହିଛି। ବଡ଼ଦାଣ୍ଡସ୍ଥିତ ଏହି ହୋଟେଲରେ ଅନେକ ଭକ୍ତ ରହୁଥିଲେ ମଧ୍ୟ ଶ୍ରୀମନ୍ଦିରରୁ ଅବଢ଼ା ଆଣି ସେବନ କରନ୍ତି। ବିଶେଷ କରି ରାତି ସମୟରେ ଅନେକ ଭକ୍ତ ଅବଢ଼ା ପାଇବାକୁ ପସନ୍ଦ କରନ୍ତି। କେତେକ ଭକ୍ତ ନିଜେ କିଣନ୍ତି ତ ଆଉ କିଛି ଯାତ୍ରୀ ପଣ୍ଡାଙ୍କ ମାଧ୍ୟମରେ ମଗାଇଥାନ୍ତି। ହେଲେ ଏହି ହୋଟେଲକୁ ଏବେ ଅବଢ଼ା ଆଣିବାକୁ ସିଧାସଳଖ ବାରଣ କରାଯାଇଛି। କୌଣସି ବ୍ୟକ୍ତି ହୋଟେଲକୁ ଅବଢ଼ା ଆଣି ପାରିବେ ନାହିଁ। ବାହାରୁ କୌଣସି ଖାଦ୍ୟ ବି ଆଣିବାକୁ ମନା। ହୋଟେଲ ଭିତରେ ଖାଇବାକୁ ହେଲେ କେବଳ ହୋଟେଲରୁ ହିଁ ଖାଇବେ। ଏଭଳି ନୋଟିସ୍ ହୋଟେଲରେ ଲଗାଯାଇଛି। ସୋମବାର ଜନୈକ ଯାତ୍ରୀ ପଣ୍ଡା ତାଙ୍କର କିଛି ଯାତ୍ରୀଙ୍କ ପାଇଁ ଅବଢ଼ା ନେଇ ଯାଉଥିଲେ। ତାଙ୍କୁ ହୋଟେଲ କର୍ମଚାରୀ ଅଟକାଇ ଅବଢ଼ା ହୋଟେଲକୁ ପଶିବ ନାହିଁ କହି ବିଦା କରିଦେଇଥିଲେ। ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଲୁଚାଛପାରେ ଭକ୍ତ ଜଣକ ଅବଢ଼ା ନେଇ ପରିବାର ସହ ସେବନ କରିଥିଲେ। ଲୁଚି ଲୁଚି ଅବଢ଼ା ସେବନ କରିବା ପରେ ପତ୍ରକୁ ବାହାରେ ପକାଇଥିଲେ। ଏ ସମ୍ପର୍କରେ ହୋଟେଲ କର୍ମଚାରୀଙ୍କର ଯୁକ୍ତି ବି ରହିଛି। ସେମାନଙ୍କ କହିବା କଥା, କିଛି ଲୋକ ଅବଢ଼ା ଖାଇବା ପରେ ବାଥ୍ରୁମ୍ରେ ଫିଙ୍ଗି ଦେଉଛନ୍ତି। ଏହା ଅସମ୍ମାନ। ତେଣୁ ସେମାନେ ବାରଣ କରିଛନ୍ତି। ମାତ୍ର ଭକ୍ତମାନେ ଏହାକୁ ନାପସନ୍ଦ କରିଛନ୍ତି। କହିଛନ୍ତି, ଭକ୍ତ ପାଖରେ ଅବଢ଼ା ସବୁଠୁ ଉଚ୍ଚରେ। ଭକ୍ତଟିଏ ଅବଢ଼ାକୁ ଏପରି ହତାଦର କରିପାରିବ ନାହିଁ। ଏହା ଭକ୍ତ ଶୋଷଣର ଏକ ଆଳ ବୋଲି କେତେକ ଭକ୍ତ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp