ପୁରୀ: କୋଟି କୋଟି ଜନତାଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଭିତର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ଅଭିଯୋଗରେ ପୁରୀ ସିଂହଦ୍ବାର ପୁଲିସ ଜଣେ ବାଂଲାଦେଶର ନାଗରିକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଆକାଶ ଚୌଧୁରୀ।
ସିଂହଦ୍ବାର ପୁଲିସ କହିଛି, ଶ୍ରୀଜଗନ୍ନାଥ ମନ୍ଦିରର ଭିତର ପାର୍ଶ୍ବର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ନେଇ ଗତ ୧୯ ତାରିଖ ଦିନ ଏକ ମାମଲା ରୁଜୁ ହୋଇଥିଲା। ଏତଲା ଆଧାରରେ ପୁଲିସ ମାମଲାର ତଦନ୍ତ କରି ବାଂଲାଦେଶର ସିଲହେଟ ଜିଲ୍ଲା ସଦର ସିଲହେଟ ଥାନା ଅନ୍ତର୍ଗତ ଇଷ୍ଟ ଜିନ୍ଦା ବଜାର ଅନ୍ତର୍ଗତ ନିବାସୀ ରାଧାକୁଞ୍ଜ ସଦର ଭବନ ଅନିଲ ଚୌଧୁରୀଙ୍କ ପୁଅ ଆକାଶ ଚୌଧୁରୀକୁ ଗିରଫ କରିଛି। ତଦନ୍ତ ସମୟରେ ପୁଲିସ ଅଭିଯୁକ୍ତ ସଂପର୍କରେ ଅଧିକ ତଥ୍ୟ ହାସଲ କରି ଶେଷରେ ଅଭିଯୁକ୍ତର ଠିକଣା ପାଇଥିଲା। ଏହି ଆଧାରରେ ଅଭିଯୁକ୍ତକୁ ପୁରୀ ଆସିବା ପାଇଁ ନୋଟିସ ଜାରି କରାଯାଇଥିଲା ଏବଂ ଗିରଫ କରାଯାଇଛି। ଅଭିଯୁକ୍ତ ଆକାଶ ଚୌଧୁରୀ ପାଖରୁ ମୋବାଇଲ ଫୋନ୍ ଓ ବାଂଲାଦେଶୀ ପାସ୍ପୋର୍ଟ ଜବତ ହୋଇଛି।
ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ସବୁଠୁ ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା ଗର୍ଭଗୃହ ଭିଡିଓ ଓ ଫଟୋ ଗତ ୧୮ ତାରିଖରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଆକାଶ ଚୌଧୁରୀ ନାମକ ଯୁବକ ନିଜ ଫେସବୁକ ଆକାଉଣ୍ଟରେ ଏହାକୁ ପୋଷ୍ଟ କରିଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ଆକାଶ ଜଣେ ୟୁ-ଟ୍ୟୁବର ଓ ଇସ୍କନ ଭକ୍ତ ବୋଲି ପୁଲିସ ଜାଣିବାକୁ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/36b3cce6-b7e8-4866-b107-b3efa86f1feb.jpg)