ଅସ୍ତରଙ୍ଗ: ଅସ୍ତରଙ୍ଗ ଭଉଁରିଆ ସେତୁ ଏବେ ବିପଦସଂକୁଳ ଅବସ୍ଥାରେ। ବହୁ ପୁରାତନ ଏହି ସେତୁ ଏବେ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଥିଲାବେଳେ ପ୍ରଶାସନ କିଛି ଶୁଣୁନି। ଦୁଇ ପାର୍ଶ୍ୱ ବାଡ଼ା ଭାଙ୍ଗିଯିବାରୁ କେଉଁ ମୁହୂର୍ତ୍ତରେ କିଏ ଗଳିପଡ଼ିବ କହି ହେଉନି। ସୁରକ୍ଷା ଦେବାକୁ ଦିବାକର ଛାଟୋଇଙ୍କ ନେତୃତ୍ୱରେ ସବୁଜ ଶାଖା କ୍ଲବର ସଦସ୍ୟମାନେ ବାଉଁଶ ବାଡ଼ା ବାନ୍ଧିଛନ୍ତି।

Advertisment

ସବୁଠାରୁ ବଡ଼ କଥା ହେଲା ସବୁଠୁ ପୁରାତନ ଏହି ସେତୁ ଉପରେ ପ୍ରାୟ ୬ଟି ପଞ୍ଚାୟତର ହଜାର ହଜାର ଲୋକ, ପ୍ରତିଦିନ ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ଯାତାୟାତ କରିବା ସମେତ ବଡ଼ବଡ଼ ଗାଡିମଟର ଭାରୀଯାନ ବି ଯାଉଛି। ସେତୁର ତଳଭାଗ କଳଙ୍କି ଲାଗି ନଷ୍ଟ ହେବାକୁ ବସିଥିଲା ବେଳେ ଉପରିଭାଗ ଛାତରୁ ରଡ୍ ଛାଡି ଖାଲଖମା ସୃଷ୍ଟିହୋଇଛି। ଦୈନନ୍ଦିନ ଯାତାୟତ ବେଳେ ସୁରକ୍ଷା ଦେବାକୁ ଥିବା ସେତୁର ଦୁଇ ପାର୍ଶ୍ୱର ବାଡ଼ା ଏବେ ଭାଙ୍ଗିଯାଇଛି। ପ୍ରତିଦିନ ଯାଉଥିବା ପାଠପାଢୁଆ ପିଲା ଟିକିଏ ଆସାବଧାନତା ହେଲେ ଭାରସାମ୍ୟ ହରାଇ ନଈକୁ ଗଳିପଡିବା ଅସମ୍ଭବ ନୁହେଁ। ଉଭୟ ପଟୁ ଯାଆସ କରୁଥିବା ଲୋକେ ପ୍ରତିଦିନ ନାନାଦି ଅସୁବିଧାର ସମୁଖୀନ ହେଉଛନ୍ତି।

ଏଭଳି ଦୃଶ୍ୟ ସମସ୍ତଙ୍କ ନଜରରେ ଥିବା ବେଳେ ବାରମ୍ବାର ଅଭିଯୋଗ ହେବା ଓ ଗଣାମାଧ୍ୟମରେ ଖବର ପ୍ରକାଶ ପରେ ବି ପ୍ରଶାସନ ଚେତୁନି। ପ୍ରତିବର୍ଷ ସ୍ଥାନୀୟ ନେତା ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଲୋକଦେଖାଣିଆ ଭାବେ ଏହି ସେତୁର ସ୍ଥିତି ପରଖି ଫଟୋ ଉଠାଇ ଫେରୁଥିଲା ବେଳେ କାମର ନାଁ ଗନ୍ଧ ନାହିଁ |

ସୂଚନା ମୁତାବକ ୧୯୭୨ ମସିହାରେ ଏହା ନିର୍ମାଣ ହୋଇଥିଲା| ଏହା ବହୁ ପୁରାତନ ଓ ସଂକୀର୍ଣ୍ଣ ହେତୁ ଏହା ଉପରେ ଗୋଟିଏ ଗାଡି ଗଲେ ଅପରପାର୍ଶ୍ୱରୁ ଅନ୍ୟଗାଡି ଯିବା ତ ଦୂର କଥା ସାଧାରଣ ଲୋକଟିଏ ଯାଇପାରୁନି।ସେତୁର ଅବସ୍ଥା ଦୟନୀୟ ସ୍ଥିତିରେ ରହିଛି।

ଏଭଳି ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ସବୁଜ ଶାଖାର ସଭ୍ୟବୃନ୍ଦ ଆଗେଇ ଆସି ନିଜ ଖର୍ଚ୍ଚରେ ବାଉଁଶ ବାଡ଼ା ବାନ୍ଧି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଆଜିର ଏହି କାର୍ଯ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ଦିବାକର ଛାଟୋଇ, ଉପଦେଷ୍ଟା ହୃଷିକେଶ ଛାଟୋଇ, ସଭାପତି ରମାକାନ୍ତ ବସ୍ତିଆ, ସମ୍ପାଦକ ହୃଷିକେଶ ମୁଦୁଲିଙ୍କ ସମେତ ସନ୍ତୋଷ କୁମାର କାଣ୍ଡି, ପ୍ରକାଶ ନାୟକ, ସୁବାସ ପରିଡା, ପ୍ରଶାନ୍ତ ବେହେରା, ପ୍ରଶାନ୍ତ ମୁଦୁଲି, ସମୀର ନାୟକ, ଦୁର୍ଗା ଚରଣ ମହାରଣା ଓ ବିଜୟ ବେହେରା ପ୍ରମୁଖ ଯୋଗଦେଇ ବାଉଁଶ ବାଡ଼ା ବାନ୍ଧିବା ସହ ଲୋକଙ୍କୁ ସଚେତନ କରିଥିଲେ। ଏହି ପୁରାତନ ସେତୁର ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ କରାନଗଲେ ପାଞ୍ଚଟି ପଞ୍ଚାୟତର ସାଧାରଣ ଲୋକ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।