ଭୋଗଖିଆକୁ ନେଇ ବୋମାମାଡ଼

ବ୍ରହ୍ମଗିରି : ଆଜି ଅପରାହ୍ନରେ ବ୍ରହ୍ମଗିରି ଥାନା ଚୂଡ଼ାଚୂଡାମଣି ଗାଁରେ ପୂର୍ବ ବିବାଦକୁ ନେଇ ଗାଁ ଦାଣ୍ଡରେ ବୋମା ଫୁଟିଛି। ଘନଘନ ବୋମାମାଡ଼ ସାଙ୍ଗକୁ ପ୍ରବଳ ଟେକା ପଥର ମାଡ଼ ହୋଇଛି। ଏଥିରେ ଗୋଟିଏ ବାଇକ ଭାଙ୍ଗିବା ସହିତ ଘରର କବାଟ ଭାଙ୍ଗିଥିବା ଜଣାପଡ଼ିଛି । ଏହି ଘଟଣାକୁ କେନ୍ଦ୍ର କରି ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ସଶସ୍ତ୍ର ବାହିନୀ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଖବର ନେବାରେ ଜଣାପଡିଛି, ଗତ ମଙ୍ଗଳବାର ଦିନ ଚୈତ୍ରମାସ ଠାକୁରାଣୀଙ୍କ ପାଖରେ ଜନ୍ତାଳ ଭୋଗ ଖିଆକୁ ନେଇ ଯୋଗେନ୍ଦ୍ର ସାହୁ ଓ ଅନ୍ୟ ତିନି ପରିବାରଙ୍କ ସହିତ ଏହି ଗାଁର ସୁଶାନ୍ତ ଦାସ ଓ ଅନ୍ୟ ପରିବାରଙ୍କ ମଧ୍ୟରେ ବିବାଦ ଦେଖା ଯାଇଥିଲା । ଏହି ବିବାଦକୁ ନେଇ ବୁଧବାର ରାତିରେ ଯୋଗେନ୍ଦ୍ରଙ୍କ ଘରର କବାଟ ଅପରପକ୍ଷ ଭାଙ୍ଗିଥିବା ଯୋଗେନ୍ଦ୍ରଙ୍କ ପତ୍ନୀ ପ୍ରତିମା ସାହୁ ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାର ଶାନ୍ତି ସମାଧାନ ପାଇଁ ଆସନ୍ତା ରବିବାରକୁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଆଜି ଅପରାହ୍ନରେ ହଠାତ୍‌ ଗାଁ ଦାଣ୍ଡରେ ୩ ରୁ ୪ଟି ବୋମା ମାଡ ସହିତ ଏକ ବାଇକ ଭାଙ୍ଗିଥିବା ବେଳେ ଟେକା ପଥର ମାଡ ହୋଇଥିବା ଜଣାପଡିଛି । ଖବର ପାଇ ବ୍ରହ୍ମଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି । ରିପୋର୍ଟ ଲେଖା ହେବା ବେଳକୁ ଗାଁରେ ପୁଲିସ ମୁତୟନ ରହିଥିବା ବେଳେ ଚାପା ଉତ୍ତେଜନା ଲାଗି ରହିଛି ।

ସମ୍ବନ୍ଧିତ ଖବର