ଉତ୍ତରା ଛକରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ: ନାବାଳକ ସମେତ ୫ ଗିରଫ

ପିପିଲି: ରାଜଧାନୀ ଉପକଣ୍ଠ ଉତ୍ତରା ଛକରୁ ୯୭୮ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବାର ଖବର ମିଳିଛି। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି କୁହାଯାଉଛି।
ପିପିଲି ଥାନା ଅଧିକାରୀ ଅଭିମନ୍ୟୁ ନାୟକଙ୍କ ନେତୃତ୍ବରେ ପୁଲିସ ଟିମ୍ ଆଜି ଉତ୍ତରା ଛକର ରାମମନ୍ଦିର ନିକଟରେ ଅତର୍କିତ ଚଢ଼ାଉ କରିଥିଲେ। ସେଠାରୁ ମୁରାସିଦ ଖାନ୍, ଜାଦିବ, ସାଜିଦ ଅଲ୍ଲୀ, ଇମ୍ରାନ ନାମକ ୪ଜଣ ସାବାଳକ ଓ ଜଣେ ନାବାଳକକୁ ଧରିଥିଲେ। ମୁରାସିଦଠାରୁ ୫୫୦ ଗ୍ରାମ୍ ଓ ସାଜିଦ ଅଲ୍ଲୀଠାରୁ ୪୨୮ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଥିଲା। ଏହାଛଡ଼ା ସେମାନଙ୍କଠାରୁ ନଗଦ ୩,୫୦୦ ଟଙ୍କା, ଗୋଟିଏ ମୋଟର ସାଇକେଲ୍ ଓ ଗୋଟିଏ ସ୍କୁଟି ଜବତ ହୋଇଥିବା ନେଇ ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର