୧୫ ବର୍ଷ ହେଲା ବୃଦ୍ଧଙ୍ଗ କେନାଲ ଶୁଖିଲା, ଜଙ୍ଗଲ ପାଲଟିଲାଣି ଶାଖା ଓ ଉପଶାଖା କେନାଲ୍‌

ବର୍ଷା ଭରସାରେ ୬ହଜାର ହେକ୍ଟର ଚାଷଜମି, ସମସ୍ୟାରେ ୪ ବ୍ଲକର ଚାଷୀ

ପୁରୀ : ବୃଦ୍ଧଙ୍ଗ କେନାଲ୍‌ ପୁରୀ ଜିଲ୍ଲାର ସିଂହଭାଗ ଚାଷୀଙ୍କ ଜୀବନରେଖା କହିଲେ ଅତ୍ୟୁକ୍ତି ହେବନି। ଅତୀତରେ ଏହି କେନାଲ ଚାଷୀଙ୍କ ସାହାଭରସା ଥିଲା। ବର୍ଷକୁ ଦୁଇ ଦୁଇଥର ଧାନ ଚାଷ ପରେ ବି ଚାଷୀମାନେ ବିରି, ମୁଗ ଆଦି ଅମଳ କରିପାରୁଥିଲେ। ଏବେ ସରକାରଙ୍କ ଦୃଷ୍ଟି ଅଢ଼ୁଆଳରେ। ବିଭାଗୀୟ ଅପାରଗତା ପାଇଁ ଆଜିକୁ ୧୫ ବର୍ଷ ହେବ ଶୁଖିଲା ପଡ଼ିଛି ଜିଲ୍ଲାର ଏହି ପ୍ରମୁଖ କେନାଲ। ଯାହାଫଳରେ ୪ ବ୍ଲକ୍‌ର ୬ ହଜାର ହେକ୍ଟରରୁ ଅଧିକ ଚାଷଜମି ସିଧାସଳଖ ପ୍ରଭାବିତ ହେଉଛି। ବଡ଼ କଥା ହେଉଛି, ତିନି ତିନିଟି ନିର୍ବାଚନମଣ୍ଡଳୀ ଦେଇ ଏହି କେନାଲ୍‌ ଯାଇଥିବାବେଳେ ଆଜି ପର୍ଯ୍ୟନ୍ତ କୌଣସି ଲୋକ ପ୍ରତିନିଧି ଏ ନେଇ ସ୍ବର ଉଠାଇନାହାନ୍ତି କି ଚାଷୀଙ୍କୁ ଦରଦ ଦେଖାଇନାହାନ୍ତି।

ପୁରୀ ଜିଲ୍ଲାର ଜଳସେଚନ ବ୍ୟବସ୍ଥା ମହାନଦୀ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ସାକ୍ଷୀଗୋପାଳ କେନାଲ ଦେଇ ମହାନଦୀର ଜଳ ଜିଲ୍ଲା ଭିତରେ ପ୍ରବେଶ ପରେ ଛୋଟବଡ଼ କେନାଲ୍‌ ଦେଇ ଏହା ଚାଷଜମିକୁ ଜଳସେଚିତ କରି ଆସୁଥିଲା। ଏ ମଧ୍ୟରେ ବୃଦ୍ଧଙ୍ଗ କେନାଲ ସିଂହଭାଗ ଚାଷୀଙ୍କ ଚାଷର‌ ଆବଶ୍ୟକତା ମେଣ୍ଟାଉଥିଲା। ସାକ୍ଷୀଗୋପାଳ କେନାଲ୍‌ରୁ ଶୁକଳ କେନାଲ୍‌ ଦେଇ ମହାନଦୀର ଜଳ ବୃଦ୍ଧଙ୍ଗ କେନାଲରେ ପହଞ୍ଚିବା ପରେ ଚାଷୀମାନେ ଜମିକୁ ସୁବିଧାରେ ପାଣି ମଡ଼ାଇ ପାରୁଥିଲେ। ବୃଦ୍ଧଙ୍ଗ କେନାଲ ଉପରେ ପୁରୀ ସଦର, ସତ୍ୟବାଦୀ, ବ୍ରହ୍ମଗିରି, ଡେଲାଙ୍ଗ ଆଦି ବ୍ଲକ ସଂପୂର୍ଣ୍ଣ ନିର୍ଭରଶୀଳ ଥିଲା। ୨୪.୩ କିଲୋମିଟର ଲମ୍ବ ବୃଦ୍ଧଙ୍ଗ କେନାଲ ଯେଉଁ ବାଟ ଦେଇ ଯାଇଥିଲା, ତାହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ୧୦୬୦ ହେକ୍ଟର ଚାଷଜମିକୁ ଜ‌ଳସେଚିତ କରୁଥିଲା। ଏହାବାଦ୍ ବୃଦ୍ଧଙ୍ଗ କେନାଲରୁ ବାହାରିଥିବା ୧୨ଟି କ୍ଷୁଦ୍ର (ମାଇନର) ଓ ୧୮ଟି ଅତିକ୍ଷୁଦ୍ର (ସବ-ମାଇନର) କେନାଲ ୫ ହଜାର ହେକ୍ଟରରୁ ଅଧିକ ଜମିକୁ ଜଳସେଚିତ କରି ଆସୁଥିଲା।

ଏହା ଉପରେ ନଜର ପକାଇଲେ, ୪୩୭ ମିଟର ଲମ୍ବ ବଡ଼ହାଟ କେନାଲ ଦ୍ବାରା ୧୪୫.୫୧ ହେକ୍ଟର, ୨୧୯ ମିଟର ଲମ୍ବ ମୂଳ ଅଳସା କେନାଲ ଦ୍ବାରା ୩୬୨.୨୬ ହେକ୍ଟର, ୬.୭୬୮ କିମି ଲମ୍ବ କରଡ଼ି କେନାଲ ଦ୍ବାରା ୧୭୮.୨୭୬ ହେକ୍ଟର, ୧.୧୯୫ କିମି ଲମ୍ବ ଚାରିଭାୟାପାଟଣା କେନାଲ୍‌ ଦ୍ବାରା ୫୮ ହେକ୍ଟର, ୭୪୯ ମିଟର ଲମ୍ବ ନରେନ୍ଦ୍ରପୁର କେନାଲ୍‌ ଦ୍ବାରା ୩୫୧ ହେକ୍ଟର, ୨.୦୪୫ କିମି ଲମ୍ବ ଘାସିଭବାନୀପୁର କେନାଲ୍‌ ଦ୍ବାରା ୧୪୯ ହେକ୍ଟର, ୭୦୪ ମିଟର ଲମ୍ବ ପରହାଟ ଶାଖା କେନାଲ୍‌ ଦ୍ବାରା ୧୯୩ ହେକ୍ଟର, ୨.୩୦ କିମି ଲମ୍ବ ଅରିଲୋପାଟଣା କେନାଲ୍‌ ଦ୍ବାରା ୧୫୯ ହେକ୍ଟର, ୧୨.୧୭ କିମି ଲମ୍ବ ରତ୍ନଚିରା କେନାଲ ଦ୍ବାରା ୫୪୬.୭୭ ହେକ୍ଟର, ୧.୧୦୧ କିମି ଲମ୍ବ ରୁଆ କେନାଲ ଦ୍ବାରା ୧୪୬ ହେକ୍ଟର ଜମି ଜଳସେଚିତ ହେଉଥିଲା।

ରତ୍ନଚିରା କେନାଲ୍‌ ବୃଦ୍ଧଙ୍ଗ ‌କେନାଲର ଦ୍ବିତୀୟ ବଡ଼ ଶାଖା କେନାଲ୍‌ ହୋଇଥିବାବେଳେ ଏହା ଶିରୁଳି ପର୍ଯ୍ୟନ୍ତ ଲମ୍ବିଛି। ଯେଉଁଠୁ ଖମାର, ପରଖଣ୍ଡା ଓ ଶିରୁଳି କେନାଲ ବାହାରିଛି। ଖମାର କେନାଲର ଲମ୍ବ ୪.୭୦ କିମି ହୋଇଥିବାବେଳେ ୫୨୭.୩୪ ହେକ୍ଟର ଜମି ଏହା ଦ୍ବାରା ଜଳସେଚିତ ହେଉଥିଲା। ସେହିଭଳି ୪.୩୬୭ କିମି ଲମ୍ବ ପରଖଣ୍ଡା କେନାଲ ଦ୍ବାରା ୬୦୪.୦୬ ହେକ୍ଟର ଓ ୫୦୭ ମିଟର ଲମ୍ବ ଶିରୁଳି କେନାଲ୍‌ ଦ୍ବାରା ୫୬.୫୬ ହେକ୍ଟର ଜମି ଜଳସେଚିତ ହେଉଥିଲା। ୧.୧୦୧ କିମି ଲମ୍ବ ରୁଆ କେନାଲ ଦ୍ବାରା ୧୪୬ ହେକ୍ଟର ଜମି ଜଳସେଚିତ ହେଉଥିଲା। ଏଥିରୁ ବାହାରିଥିବା ଅନ୍ୟ କେନାଲ୍‌ ଦ୍ବାରା ୫୬.୦୬ ହେକ୍ଟର ଜମି ଜଳସେଚିତ ହେଉଥିଲା। ବୃଦ୍ଧଙ୍ଗ କେନାଲର ଶେଷରେ ରାଇକେରା କେନାଲ୍‌ ବାହାରିଥିବାବେଳେ ଏହାର ଲମ୍ବ ୧୫.୪୦ କିଲୋମିଟର। ଏହାଦ୍ବାରା ସର୍ବାଧିକ ଏକ ହଜାର ୧୭ ହେକ୍ଟର ଜମି ଜଳସେଚିତ ହେଉଥିଲା। ରାଇକେରା କେନାଲ୍‌ରୁ ସର୍ବାଧିକ ୧୦ରୁ ଅଧିକ ଶାଖା କେନାଲ୍‌ ବି ବାହାରିଛି। କରଡ଼ି କେନାଲ୍‌ରୁ ବାହାରିଥିବା ତେନ୍ତୁଳିଆ ଓ ଭୂତପାଟଣା କେନାଲ(ସବ-ମାଇନର) ବି ୨୪୪ ହେକ୍ଟର ଚାଷ ଜମି ଜଳସେଚିତ କରୁଥିଲା।

କିନ୍ତୁ ଦୂରଦୃଷ୍ଟି ତଥା ରକ୍ଷଣାବେକ୍ଷଣ ଅଭାବରୁ ଏହି ବୃହତ୍‌ କେନାଲ୍‌ ସହ ଏହାର ଶାଖା କେନାଲ୍ ସବୁ ଶୁଖିଲା ପଡ଼ିଛି। ବର୍ଷେ କି ଦୁଇବର୍ଷ ନୁହେଁ, ୨୦୦୫ ମସିହାରୁ ଏହି କେନାଲରେ ପାଣି ଆସୁନି।।

ସମ୍ବନ୍ଧିତ ଖବର