ପୁରୀ ମାଉସୀ ମା’ ମନ୍ଦିରରୁ ତାଲା କାଟି ହୁଣ୍ଡିରୁ ୩୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ପୁରୀ: ପୁରୀ ମାଉସୀ ମା ମନ୍ଦିରରୁ ଚୋରି ହୋଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଉସୀ ଘର କୁହାଯାଇଥିବା ମାଉସୀ ମା’ ମନ୍ଦିରରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ । ବଡ଼ଦାଣ୍ଡର ବଳଗଣ୍ଡିଠାରେ ଥିବା ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟର ତାଲା କାଟି ତା’ ଭିତ‌ରେ ପଶି ଦୁର୍ବୃତ୍ତମାନେ ଚୋରି କରିଛନ୍ତି ବୋଲି ସୂଚନା ରହିଛି।

କେବଳ ସେତିକି ନୁହେଁ, ପୁଣି ଭିତରେ ୩ ଟି ତାଲା କାଟି ସେମାନେ ମୁଖ୍ୟ ମନ୍ଦିରରେ ପ୍ରବେଶ କରିଛନ୍ତି। ମନ୍ଦିର ହୁଣ୍ଡି ଭାଙ୍ଗି ପ୍ରାୟ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି। ସେହିପରି ଭିତର ଆଲମାରୀ ଭାଙ୍ଗି ମାଆଙ୍କ ରୁପା ଅଳଙ୍କାର ଓ ଦାତା ଦେଇଥିବା ଶାଢ଼ି ଚୋରି କରିନେଇଥିବା ଜଣାପଡ଼ିଛି । କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ପୁରୀ ବଡ଼ଦାଣ୍ଡ ଉପରେ ଏଭଳି ଚୋରି, ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।

ଏ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ସେ କହିଛନ୍ତି, ‘ଗତ ରାତିରେ ମାଉସୀ ମା ମନ୍ଦିରରୁ ହୋଇଥିବା ଚୋରି ବିଷୟରେ ଶୁଣିବା ପରେ ମୁଁ ଆଶ୍ଚର୍ଯ୍ୟ। ଅପରାଧୀଙ୍କୁ ଧରିବା ପାଇଁ ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିବାକୁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ।’

ସମ୍ବନ୍ଧିତ ଖବର