ଫେରିଲା ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗିଥିବା ଚନ୍ଦ୍ର-ସୂର୍ଯ୍ୟ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶରେ ଲାଗିଥିବା ଚନ୍ଦ୍ର-ସୂର୍ଯ୍ୟକୁ ସେବାୟତ ନେଇଯିବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚା ପାଲଟିଥିବା ବେ‌ଳେ ତାହା ଏବେ ଫେରିଆସିଛି। ଗତ ୨୭ ତାରିଖରେ ଶ୍ରୀଜିଉଙ୍କର ନାଗାର୍ଜୁନ ବେଶ ହୋଇଥିବା ବେଳେ ୨୮ ତାରିଖରେ ବେଶରେ ଲାଗିଥିବା ସୂର୍ଯ୍ୟ-ଚନ୍ଦ୍ରକୁ ନେଇ ଯାଇଥିଲେ ସେବାୟତ। ଏ ନେଇ ଖବର ପ୍ରସାରଣ ହେବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଜୋର୍‌ ଧରିଥିଲା। କେତେକ ସଂଗଠନ ପକ୍ଷରୁ ଥାନାରେ ଏତଲା ମଧ୍ୟ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଓଲାଗି ହେବା ପରେ ସେଥିରେ ଲାଗିଥିବା ଚନ୍ଦ୍ର, ସୂର୍ଯ୍ୟ  ଜୈନିକ ବରିଷ୍ଠ ସେବାୟତଙ୍କ ଘରକୁ ଯାଇଥିବା ଅଭିଯୋଗ ହୋଇଥିଲା । ଚଳିତ ବର୍ଷର ନାଗାର୍ଜୁନ ବେଶ ଶ୍ରୀମନ୍ଦିର ପ୍ରଶାସନ ନିଜ ପାଖରେ ରଖିବ ବୋଲି ନିଷ୍ପତ୍ତି କରିଥିଲା।  ଏହି ବେଶରେ ଲାଗିଥିବା ଚନ୍ଦ୍ର, ସୂର୍ଯ୍ୟ ଅନ୍ୟତ୍ର ଚାଲିଯିବା ପରେ ବେଶର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।  ଶ୍ରୀମନ୍ଦିର ପ୍ରଶାସନ ଏହାପରେ ଘଟଣାର ତଦନ୍ତ କରିଥିଲା।

ପୂର୍ବରୁ ପ୍ରଚଳିତ ପରମ୍ପରା ଅନୁସାରେ ଓଲାଗି ନାଗାର୍ଜୁନ ବେଶ ଯଜମାନ ନେଇଥାନ୍ତି। କିନ୍ତୁ ସର୍ବସମ୍ମତିକ୍ରମେ ଚଳିତ ବର୍ଷର ବେଶ ଶ୍ରୀମନ୍ଦିର ପ୍ରଶାସନ ରଖିବ ବୋଲି ସ୍ଥିର କରାଯାଇଥିଲା। ଯଜମାନଙ୍କୁ ଏ ବାବଦ କ୍ଷତିପୂରଣ ଶ୍ରୀମନ୍ଦିର ପ୍ରଶାସନ ଦେବ ବୋଲି ସ୍ଥିର କରାଯାଇଥିଲା। ଏହି ବେଶକୁ ଜଗନ୍ନାଥ ବଲ୍ଲଭ ପରିସରରେ ହେବାକୁ ଥିବା ସଂଗ୍ରହାଳୟରେ ରଖାଯିବ ବୋଲି ସ୍ଥିର କରାଯାଇଥିଲା। ସେହି ଅନୁଯାୟୀ ପ୍ରସ୍ତୁତି ଚାଲିଥିବା ବେଳେ ବେଶରୁ ଚନ୍ଦ୍ର, ସୂର୍ଯ୍ୟ କାଢ଼ି ସେବାୟତ ନେଇଯିବା ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲେ।

ସମ୍ବନ୍ଧିତ ଖବର