ଶ୍ରୀମନ୍ଦିରରେ ବଢ଼ିଚାଲିଛି ‌ବିଶୃଙ୍ଖଳା, କାର୍ଯ୍ୟକାରୀ ହେଉନି ଆଦେଶ

ପୁରୀ : ଦୀର୍ଘ ୨୬ ବର୍ଷ ପରେ ଶୁକ୍ରବାର ଥିଲା ନାଗାର୍ଜୁନ ବେଶ। ବାହାରେ ଭକ୍ତବୃନ୍ଦ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ ନ କରିପାରି କାନ୍ଦୁଥିଲେ। ଆଉ ଏହି ଦର୍ଶନ ମିଳିବନି କି ନାହିଁ ତାକୁ ନେଇ ‌ବିଷାଦରେ ଥିଲେ। କିନ୍ତୁ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଏହି ଭାବାବେଗ ସହ ଖେଳ ଚାଲିଥିଲା। ସ୍ବାର୍ଥ ତଥା ଅହଙ୍କାର ପାଇଁ ମହାପ୍ରଭୁଙ୍କ ବେଶକୁ ଅଟକାଇ ଦିଆଯାଇଥିଲା। ଶ୍ରୀମନ୍ଦିର ସେବକଙ୍କ କିଭଳି ଔଦ୍ଧତ୍ୟ ଓ ଅହଙ୍କାର ବଢ଼ି ଯାଇଥିଲା, ତାହ ଜଳଜଳ ହୋଇ ଦିଶୁଥିଲା। ସତେ ଯେପରି ଶ୍ରୀମନ୍ଦିର ପ୍ରଶାସନ କଟକଣା ବାହାରକୁ ଚାଲି ଯାଇଥିଲା ଘଟଣା। ଏଭଳି ସ୍ଥିତିରେ ମନ୍ଦିର ପ୍ରଶାସନ ଅତୀତରେ ଯେଉଁ ପାଳିଆ ପୁରସ୍କାର କଟକଣା ଲଗାଇଥିଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜିର ଘଟଣା ପରେ ଏହି ଆଦେଶର କାର୍ଯ୍ୟକାରିତାକୁ ଭକ୍ତ ମହଲ ଅନାଇ ବସିଛନ୍ତି।

ସେବାୟତଙ୍କ ବାରମ୍ବାର ନୀତି ବିଶୃଙ୍ଖଳା ପରେ ନୀତି ସଂପାଦନରେ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ରକ୍ଷା ପାଇଁ ୨୦୧୯ ଜାନୁଆରି ୩(ଚିଠି ନଂ ୮୭)ରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ନିଯୋଗର ସଂପାଦକମାନଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଏଥିରେ ସ୍ପଷ୍ଟ ଉଲ୍ଲେଖ ଥିଲା କି ଶ୍ରୀଜିଉଙ୍କ ଦୈନିକ ତଥା ପର୍ବପର୍ବାଣୀରେ ନୀତି ସଂପାଦନରେ ବିଳମ୍ବ ପରିଲକ୍ଷିତ ହେଉଛି। ଏହି ବିଳମ୍ବର ଅବଧି ତଥା ଏହାର କାରଣ କମ୍ପ୍ୟୁଟର ମାଧ୍ୟମରେ ପଞ୍ଜିକୃତ କରାଯିବ। ନିଯୋଗର ସଂପାଦକମାନେ ଧାର୍ଯ୍ୟ ସମୟରେ ନୀତି ସଂପାଦନ କରିବା ପାଇଁ ନିଜ ନିଜ ନିଯୋଗର ପାଳିଆଙ୍କୁ ନିର୍ଦ୍ଦେଶ ଦେବେ। ତଥାପି ଯଦି ନୀତିକାନ୍ତିରେ ବିଳମ୍ବ ହୁଏ, ଏହା ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହି ଦିନର ପାଳିଆ ପୁରସ୍କାର ଓ ଅନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ। ସେବାରେ ୧୫ ମିନିଟ୍‌ ବିଳମ୍ବ କଲେ ଏକ ଚତୁର୍ଥାଂଶ ପାଳିଆ ପୁରସ୍କାର ଓ ଅନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ। ଅଧଘଣ୍ଟା ବିଳମ୍ବ ପାଇଁ ସେ ଦିନର ଅଧା ପାଳିଆ ପୁରସ୍କାର ଓ ଅନ୍ୟ ପ୍ରାପ୍ୟ ପାଉଣା ଏବଂ ଘଣ୍ଟାଏ ବିଳମ୍ବ ପାଇଁ ସେଦିନର ସମସ୍ତ ପାଳିଆ ପୁରସ୍କାର ଓ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ। ନୀତି ବିଶୃଙ୍ଖଳାରେ ସଂପୃକ୍ତ ପାଳିଆଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏହି ଆଦେଶକୁ ଦୁଇବର୍ଷ ବିତିବାକୁ ବସିଲାଣି ସତ, କିନ୍ତୁ କାର୍ଯ୍ୟାନୁଷ୍ଠାନ ଘର ଶୂନ୍‌। ଅଧିକାରୀ ବଦଳିବା ସହ କାର୍ଯ୍ୟାନୁଷ୍ଠାନ ଶୈଳୀ ସତେ ଯେପରି ବଦଳିଯାଉଛି। ପୂର୍ବ ଆଦେଶକୁ ଶୀତଳଭଣ୍ଡାରକୁ ଠେଲି ଦିଆଯାଉଛି। ଯେଉଁଥି ପାଇଁ ସେବାୟତଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ ଦିନକୁ ଦିନ ବଢ଼ିଚାଲିଛି। ଯାହାର ପରିଣାମ ଆଜି ନାଗାର୍ଜୁନ ବେଶ ସମୟରେ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ କିଭଳି ଆଦେଶର କାର୍ଯ୍ୟକାରିତା କରୁଛି, ବିଶୃଙ୍ଖଳିତ ସେବାୟତଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛି, କେବଳ ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର