ଆରମ୍ଭ ହେଲା ଛେରା ପହଁରା; ଜାଣନ୍ତୁ ଏହି ସମୟରେ କେଉଁ କେଉଁ ନୀତି ସଂପାଦନ କରିଥାଆନ୍ତି ଗଜପତି

ପୁରୀ : ଆରମ୍ଭ ହୋଇଛି ଛେରା ପହଁରା ନୀତି। ଶ୍ରୀଜିଉଙ୍କ ପ୍ରଥମ ସେବକ ଗଜପତି ମହାରାଜା ଆରମ୍ଭ କରିଛନ୍ତି ଛେରା ପହଁରା। ଗଜପତି ଦିବ୍ୟସିଂହ ଦେବ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥରେ ଛେରା ପହଁରା ନୀତି ସଂପାଦନ କରୁଛନ୍ତି।

ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ରହିଥାଏ । ତିନି ରଥ ଉପରେ ଶ୍ରୀ ବିଗ୍ରହମାନଙ୍କ ପହଣ୍ଡି ବିଜେ ହୋଇ ରଥାରୂଢ ହେବାପରେ ମୁଖ୍ୟ ବିଗ୍ରହମାନଙ୍କ ମଇଲମ ଓ ମାଳଫୁଲ, ଲାଗି ହୋଇଥାଏ । ଏହାପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜନୈକ ପଦାଧିକାରୀ, ଶ୍ରୀମନ୍ଦିର କମାଣ୍ଡର, ଆବଶ୍ୟକ ସଂଖ୍ୟକ ମନ୍ଦିର ପୁଲିସ ଏବଂ ସରକାରୀ ପୁଲିସ ଶ୍ରୀନଅରକୁ ଯାଇ ବିଧିବଦ୍ଧ ଭାବେ ଗଜପତି ମହାରାଜାଙ୍କୁ ଛେରା ପହଁରା ସେବା କରିବା ପାଇଁ ଖବରଦେଇଥାନ୍ତି । ଶ୍ରୀନଅରରେ ଖବର ପଂହଚିବା ପରେ ଗଜପତି ମହାରାଜା ରାଜକୀୟ ବେଶରେ ଆସି ଛେରା ପହଁରା କରିଥାନ୍ତି ।

ସର୍ବ ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥ ସମ୍ମୁଖରେ ତାମଜାନ ରହେ । ଗଜପତି ମହାରାଜ ଉକ୍ତ ରଥ ଉପରକୁ ଉଠିଥାନ୍ତି । ତାଙ୍କ ସାଙ୍ଗରେ ରାଜ ପରିବାରର ସଦସ୍ୟ, ରାଜଗୁରୁ , ଲେଙ୍କା, ବେହେରା ଖଂଟୁଆ, ମେକାପ, ଗରାବଡୁ ଓ ଦେଉଳକରଣ ଇତ୍ୟାଦି ସେବକ ରହିଥାନ୍ତି । ପ୍ରଥମେ ଗରାବୁଡ ସେବକଙ୍କଠାରୁ ହାତୁଆଣି ନେଇ ଗଜପତି ପୁଷ୍ପାଞ୍ଜଳି ପ୍ରଦାନ କରିଥାନ୍ତି । ରାଜା ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନା ଚାମର ଆଲଟ ସେବା କରିଥାନ୍ତି । ତତ୍ପରେ ରଥ ଉପର ସିହାଂସନ ତଳକୁ ଓହ୍ଲାଇଥାନ୍ତି ।

ଏହି ସମୟରେ ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡିକା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢାଇଥାନ୍ତି । ଭଣ୍ଡାର ମେକାପ ରଥର ଚାରିପାଖରେ ବୁଲି ଶୁକ୍ଳ ଫୁଲ ଆଗରେ ପକାଉଥିବେ ଓ ଗଜପତି ମହାରାଜା ସୁନା ଖଡିକା ଧରି ରଥ ଚାରିପଟେ ପହଁରିଥାନ୍ତି । ଏହାପରେ ଘଟୁଆରୀ ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ପାଣିକୁ ରାଜଗୁରୁ ସଂସ୍କାର କରିବା ପରେ ଭଣ୍ଡାର ମେକାପ ଗଜପତିଙ୍କ ହସ୍ତକୁ ବଢାଇଥାନ୍ତି । ତତ୍ପରେ ଗଜପତି ଚନ୍ଦପାଣି ରଥ ଚାରିପଟେ ଛିଂଚିଥାନ୍ତି । ଏହି କ୍ରମରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଶ୍ରୀସୁଭଦ୍ରାଙ୍କ ରଥ ଉପରେ ଛେରା ପହଁରା ନୀତି ସରିଥାଏ ।

ସମ୍ବନ୍ଧିତ ଖବର