ସିଫା: ଉପରେ ଚକ୍‌ଚକ୍‌, ଭିତରେ ଫମ୍ପା

ଭୁବନେଶ୍ବର/ପିପିଲି: କେନ୍ଦ୍ରୀୟ ମଧୁର ଜଳ ଜୀବପାଳନ ଓ ଅନୁସନ୍ଧାନ ସଂସ୍ଥା(ସିଫା) ଉପରେ ଚକଚକ୍ ଭିତରେ ଫମ୍ପା ବୋଲି ଚର୍ଚ୍ଚା ହେଲାଣି। କେନ୍ଦ୍ର ସରକାର ଯାଆଁଳ ଉତ୍ପାଦନ, ପ୍ରଶିକ୍ଷଣ ଓ ଗବେଷଣା ନିମନ୍ତେ ସିଫାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବାସ୍ତବରେ ଏହାର ଉପଯୋଗ ନେଇ ସନ୍ଦେହ ଉପୁଜିଛି। ସିଫା ପରିସରରେ ଥିବା ବହୁ ୟୁନିଟ୍‌ରେ ତାଲା ଝୁଲୁଥିବା ବେଳେ ଏଠାରେ କି ପ୍ରକାର ଗବେଷଣା ହେଉଛି, ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ପିପିଲି ନିକଟସ୍ଥ କୌଶଲ୍ୟାଗଙ୍ଗଠାରେ ପ୍ରାୟ ୩୬୭ ଏକର ଜମିରେ ୧୯୮୭ ମସିହାରେ କେନ୍ଦ୍ରୀୟ ମଧୁର ଜଳ ଜୀବପାଳନ ଓ ଅନୁସନ୍ଧାନ ସଂସ୍ଥା(ସିଫା) ପ୍ରତିଷ୍ଠା ହୋଇଥିଲା। ଏଥିମଧ୍ୟରୁ ପ୍ରାୟ ୧୨୫ ଏକରର ୩୮୦ଟି ଛୋଟ ବଡ଼ ପୋଖରୀ ରହିଛି। ସିଫାର ପ୍ରାୟ ୫୦ ମିଲିୟନ ମାଛ ଜାଆଁଳ ଓ ୧୦ ମିଲିୟନ ଚିଙ୍ଗୁଡ଼ି ଯାଆଁଳ ଉତ୍ପାଦନ କରିବାର କ୍ଷମତା ରହିଛି। କିନ୍ତୁ ଏବେ ସିଫାରୁ ଯାଆଁଳ ଉତ୍ପାଦନ ପ୍ରାୟ ବନ୍ଦ ହୋଇ ଯାଇଛି ଓ ବାହାରୁ ଜାଆଁଳ କ୍ରୟ କରାଯାଉଛି ବୋଲି ଅଭିଯୋଗ ହୋଇଛି। ସିଫା ଅଧୀନରେ ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟରେ ୪ଟି ପ୍ରାଦେଶିକ ଗବେଷଣା କେନ୍ଦ୍ର କାର୍ଯ୍ୟ କରୁଛି। ଏହା ସତ୍ତ୍ବେ ସିଫା ଶ୍ରୀହୀନ ହୋଇପଡ଼ିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କର ମତ।

ବିଭିନ୍ନ ୟୁନିଟ୍‌ରେ ତାଲା ଝୁଲୁଛି
ଜାଆଁଳ ଉତ୍ପାଦନ ଠପ୍‌
ମାଛ ଖାଦ୍ୟ ଉତ୍ପାଦନ କେନ୍ଦ୍ର ବି ବନ୍ଦ

ଅଭିଯୋଗଅନୁଯାୟୀ, ବର୍ଷସାରା ରଙ୍ଗୀନ ମାଛର ଚାହିଦା ଥିବାବେଳେ ଏହି ୟୁନିଟ୍‌ରେ ଏବେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଏହି ହାଚେରି କେବଳ ଫଳକରେ ସୀମିତ ରହିଛି। ସେହିପରି ମାଛ ଖାଦ୍ୟ ଉତ୍ପାଦନ କେନ୍ଦ୍ର ଏକପ୍ରକାର ବନ୍ଦ ହୋଇଯାଇଛି। ଉତ୍ପାଦନ କେନ୍ଦ୍ର ବାରଣ୍ତାରେ ନିର୍ମାଣ କାର୍ଯ୍ୟ ପାଇଁ ସିମେଣ୍ଟ୍‌ ରଖାଯାଇଛି। ଉତ୍ପାଦନ କେନ୍ଦ୍ର ପରିସର ପରିତ୍ୟକ୍ତ ଅବସ୍ଥାରେ ରହିଛି। ଜାତୀୟ କୃଷି ଅଭିନବୀକରଣ ଯୋଜନାରେ ପ୍ରତିଷ୍ଠିତ ମତ୍ସ୍ୟ ସ୍ବାସ୍ଥ୍ୟ ପରିଚାଳନା ବିଭାଗରେ ରକ୍ଷଣାବେକ୍ଷଣା ଅଭାବରୁ ଶିଉଳି ଲାଗିଗଲାଣି। ଏହା ବର୍ଷବର୍ଷ ଧରି ଖୋଲୁନଥିବା ଅଭିଯୋଗ ହୋଇଛି। ଏହି ପରିସରରେ ଥିବା ୨ଟି ହାଚେରିର ପଚାପାଣିରୁ ଦୁର୍ଗନ୍ଧ ବାହାରୁଛି। ମଧୁରଜଳ ଚିଙ୍ଗୁଡ଼ି ଯାଆଁଳ ଉତ୍ପାଦନ କେନ୍ଦ୍ର ମଧ୍ୟ ବନ୍ଦ। ଗତବର୍ଷ ସ୍ଥାନୀୟ ଜଣେ ଚାଷୀ ହୋହଲ୍ଲା କରିବାରୁ ଚାଷୀଙ୍କୁ ଚୁପ କରିବାକୁ ସିଫା କର୍ତ୍ତୃପକ୍ଷ ବାହାରୁ ଚିଙ୍ଗୁଡ଼ି ଯାଆଁଳ କ୍ରୟ କରି ଚାଷୀଙ୍କୁ ଯୋଗାଇ ଦେଇଥିଲେ ବୋଲି ଚର୍ଚ୍ଚା ଚାଲିଛି। ବାୟୁଶୋଷି ଯାଆଁଳ ଉତ୍ପାଦନ କେନ୍ଦ୍ର ମଧ୍ୟ ବନ୍ଦ ହୋଇପଡ଼ିଛି। ପୁରୁଣା ସେଡ୍‌ ଓ ହାଚେରିକୁ ରକ୍ଷଣାବେକ୍ଷଣ ଓ ନବୀକରଣକରିବା ପରିବର୍ତ୍ତେ ଅଧିକାଂଶ ନୂଆ ତିଆରି ଚାଲିଛି।

ସୂଚନା ଅନୁସାରେ ସିଫାରେ କୋଟି କୋଟି ଟଙ୍କା ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ ୨୦୧୪ ମସିହା ମେ ୨୨ ତାରିଖରେ ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ମନ୍ତ୍ରଣାଳୟ ଅନ୍ତର୍ଗତ ଭିଜିଲାନ୍ସ ବିଭାଗର ତତ୍‌କାଳୀନ ଅନୁଶାସନ ସଚିବ ଗିରୀଶ ଭଟ୍ଟଙ୍କ ନେତୃତ୍ବରେ ୩ଜଣିଆ ଭିଜିଲାନ୍ସ ଟିମ୍‌ ସିଫା ଉପରେ ଚଢଉ କରିବା ପରେ ଏକାଧିକ ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ଏସମ୍ପର୍କରେ ସିଫାର ନିର୍ଦ୍ଦେଶକ ସରୋଜ କୁମାର ସ୍ବାଇଁଙ୍କୁ ପଚାରିବାର ସେ କହିଛନ୍ତି ଯେ ଏହା କେବଳ ଗବେଷଣା ୟୁନିଟ, ବ୍ୟବସାୟିକ ୟୁନିଟ ନୁହେଁ। ଅପରପକ୍ଷେ ଆର୍ଥିକ ଅନିୟମିତା ନେଇ ସମସ୍ତ ଅଭିଯୋଗ କପୋଳକଳ୍ପିତ ଓ ଭିତ୍ତିହୀନ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର