ପିପିଲି ଉପ ନିର୍ବାଚନ ନିମନ୍ତେ ପୋଷ୍ଟାଲ୍ ବାଲାଟ୍ ଗାଡ଼ିର ଶୁଭାରମ୍ଭ କଲେ ଜିଲ୍ଲାପାଳ

ପୁରୀ: ନିର୍ବାଚନ କମିସନଙ୍କ ନିର୍ଦ୍ଦେଶାନୁଯାୟୀ ପିପିଲି ବିଧାନସଭା ଉପ ନିର୍ବାଚନ ନିମନ୍ତେ ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ପୋଷ୍ଟାଲ୍ ବାଲାଟର ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳ ସମର୍ଥ ବର୍ମା ପତାକା ଦେଖାଇ ପୋଷ୍ଟାଲ୍ ବାଲାଟ୍ ଗାଡ଼ିର ଶୁଭାରମ୍ଭ କରିଛନ୍ତି। ପୋଲିଂ ଅଧିକାରୀମାନେ ସେମାନଙ୍କ ଘରକୁ ଯାଇ ମତଦାନ କରାଇବେ।

ଡେଲାଙ୍ଗ ବ୍ଲକର ୭୧୨ ଓ ପିପିଲି ବ୍ଲକର ୩୬୫ ଏପରି ମୋଟ ୧୦୭୭ ଜଣ ମତଦାନ ସାବ୍ୟସ୍ତ କରିବେ। ଡେଲାଙ୍ଗ ବ୍ଲକରେ ୮୦ ବର୍ଷରୁ ଉର୍ଦ୍ଦ୍ବ ୬୧୪ ଏବଂ ଦିବ୍ୟାଙ୍ଗ ୯୮ ଜଣ ଏବଂ ପିପିଲିର ୨୯୫ ଜଣ ବରିଷ୍ଠ ନାଗରିକ ଓ ୭୦ ଜଣ ଦିବ୍ୟାଙ୍ଗ ସାମିଲ ଅଛନ୍ତି । ପୂର୍ବରୁ ଏମାନଙ୍କ ମଧ୍ୟରୁ ଗତ ମେ ୩ ତାରିଖରେ ପୋଷ୍ଟାଲ୍ ବାଲାଟ୍ ମାଧ୍ୟମରେ ପିପିଲିର ୬୩ ଓ ଡେଲାଙ୍ଗର ୭୫ ଜଣଙ୍କ ମୋଟ ୧୩୮ ଜଣଙ୍କ ଠାରୁ ମତଦାନ ନିଆଯାଇ ସରିଛି। ଏଥିନିମନ୍ତେ ୭ଟି ଗାଡ଼ି ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଟିମରେ ୨ ଜଣ ପୋଲିଂ ଅଧିକାରୀ, ମାଇକ୍ରୋ ଅବଜର୍ଭର, ପୁଲିସ ଓ ଭିଡିଓଗ୍ରାଫରଙ୍କୁ ମିଶାଇ ୫ ଜଣ ସାମିଲ ରହିବେ। ବୁଥ୍ ସ୍ତରୀୟ ଅଧିକାରୀମାନେ ଏଥିନିମନ୍ତେ ସହଯୋଗ କରିବେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ତହସିଲଦାର ରବୀନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର ସୁମନ୍ତ କର, ଜିତେନ୍ଦ୍ର କୁମାର ପାତ୍ର ଏବଂ ପୋଲିଂ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର