ପୁରୀରେ ‘କରୋନା’ ସନ୍ଦିଗ୍ଧ ଫେରାର

ସନ୍ଦିଗ୍ଧ ଲିଥୁଆନିଆର ନାବାଳିକା, କଟକଣାକୁ ଫୁ’, ପରୀକ୍ଷା ପୂର୍ବରୁ ଉଭାନ, ସହରସାରା ଛାନ୍‌ଭିନ୍‌

ପୁରୀ : ପ୍ରଥମ ଥର ପାଇଁ ପୁରୀ ସହରରେ ଜଣେ ‘କରୋନା’ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସନ୍ଦିଗ୍ଧ ଜଣକ ଇଉରୋପ ମହାଦେଶ ଲିଥୁଆନିଆର ଜଣେ ନାବାଳିକା। ଏହି ବିଦେଶୀ ନାବାଳିକାଙ୍କୁ ପ୍ରଥମେ ମୋଚିସାହିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସନ୍ଦେହ ହେବାରୁ ସଂପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ନାବାଳିକା ଜଣଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କରୋନା ୱାର୍ଡ଼ରେ ନାବାଳିକାଙ୍କ ଚିକିତ୍ସା କରାଯାଉଥିଲା। ତେବେ ଏହି ସନ୍ଦିଗ୍ଧ କରୋନା ରୋଗୀ ଓ ତାଙ୍କ ପରିବାର ସମସ୍ତଙ୍କୁ ଚକ୍‌ମା ଦେଇ ‌ଡାକ୍ତରଖାନାରୁ ଫେରାର ହୋଇଯାଇଛନ୍ତି। ରକ୍ତଦେବା ବାହାନରେ ଏହି ପରିବାର କେଉଁଆଡ଼େ ଲୁଚି ପଳାଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। ସରକାରଙ୍କ ପକ୍ଷରୁ ଏ ନେଇ କଡ଼ା କଟକଣା ଜାରି କରାଯାଇଥିବାବେଳେ କେଉଁ ପରିସ୍ଥିତିରେ ଏହି ରୋଗୀ ଫେରାର ହୋଇଗଲେ ତାଙ୍କୁ ନେଇ ବଡ଼ ପ୍ରଶ୍ନ ଠିଆ ହୋଇଛି। ଅନ୍ୟପକ୍ଷରେ ରୋଗୀଙ୍କୁ ଖୋଜିବାକୁ ସାରା ସହରରେ ଛାନଭିନ୍‌ ଚଳାଇଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ମାତ୍ର ବିଳମ୍ବିତ ରାତି ସୁଦ୍ଧା ଏହି ଫେରାର ପରିବାର ସଂପର୍କରେ କୌଣସି ଖୋଜଖବର ମିଳିପାରିନି। ଅନ୍ୟପଟେ ଏହି ପରିବାରର ଫୋନ୍‌ ଟ୍ରାକିଂ କରାଯାଉଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ସଂପୃକ୍ତ ବିଦେଶୀ ନାବାଳିକା(୧୧) ଜଣକ ପରିବାର ସହ ମାର୍ଚ ୬ରେ ପୁରୀ ବୁଲି ଆସିଥିଲେ। ସେବେଠୁ ସିଟି ରୋଡ୍‌ରେ ଥିବା ଏକ ହୋଟେଲ୍‌ରେ ଏହି ପରିବାର ରହି ଆସୁଥିଲେ। ତିନି ଦିନ ତଳେ ନାବାଳିକାଙ୍କୁ ହଠାତ୍ ଥଣ୍ଡା, ଜ୍ବର ସହ ଛିଙ୍କ ହୋଇଥିଲା। ଏହା ଭଲ ନହେବାରୁ ଆଜି ସକାଳେ ପରିବାର ଲୋକେ ନାବାଳିକାକୁ ମୋଚିସାହିସ୍ଥିତ ଇ-୨୪ ଡାକ୍ତରଖାନାକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନେଇଥିଲେ।

ସେଠାରେ ସନ୍ଦେହ ହେବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ସଂପୃକ୍ତ ନାବାଳିକାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ଏହା ପରେ ନାବାଳିକା ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ‘କରୋନା’ ୱାର୍ଡ଼ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଓ ଅନ୍ୟମାନେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କିଛି ଘଣ୍ଟା ନଜରରେ ରଖିଥିଲେ। ପାଖାପାଖି ୪ ଘଣ୍ଟା ଏହି ୱାର୍ଡ଼ରେ ରହିବା ପରେ ସମସ୍ତଙ୍କୁ ଚକ୍‌ମା ଦେଇ ଏହି ପରିବାର ଫେରାର ହୋଇଯାଇଛନ୍ତି। ରକ୍ତନମୁନା ଦେବାକୁ ମନା କରିବା ସହ ସଂପୃକ୍ତ ପରିବାର ଲୁଚି ପଳାଇବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଏଭଳି ଖାମଖିଆଲ ନୀତିକୁ ସାଧାରଣରେ ସମାଲୋଚନା କରାଯାଇଛି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି, ସଂପୃକ୍ତ ପରିବାର କେଉଁଆଡ଼େ ଗଲେ, ଖୋଜା ଚାଲିଛି। ଏନ୍‌ଏଚ୍‌ଏମ୍‌ ଡିପିଏମ୍‌ଙ୍କୁ ଏହାର ଅନୁସନ୍ଧାନ ଦାୟିତ୍ବ ଦିଆଯାଇଛି। ତେବେ ଏ ସଂପର୍କରେ ଅଧିକ କିଛି କହିନାହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ଅନ୍ୟପଟେ ସହକାରୀ ଜିଲ୍ଲା ଚିକିତ୍ସା ଅଧିକାରୀ ବିରଜା ଶଙ୍କର ରଥ(ଜନସ୍ବାସ୍ଥ୍ୟ) କହିଛନ୍ତି, ସଂପୃକ୍ତ ନାବାଳିକାଙ୍କୁ ହୋମ ଆଇସୋଲେସନ୍‌ରେ ରଖାଯାଇଛି। ଯେଉଁ ହୋଟେଲରେ ଏହି ପରିବାର ରହୁଥିଲେ, ସେଠାରେ ଅଲଗା ରଖାଯାଇ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯାଉଛି। ତେବେ ତୋଟା ଗୋପିନାଥ ଅଞ୍ଚଳରେ ଏକ ହୋଟେଲରେ ‘ହୋମ ଆ‌ଇସୋଲେସନ୍‌’ରେ ଏହି ପରିବାରଙ୍କୁ ରଖାଯାଇଥିବା ସହକାରୀ ଜିଲ୍ଲା ଚିକିତ୍ସା ଅଧିକାରୀ କହୁଥିବାବେଳେ ସଂପୃକ୍ତ ହୋଟେଲ୍‌ରେ ବି ଏହି ପରିବାର ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର