ପୁରୀ : ଚଳିତବର୍ଷର ରଥଯାତ୍ରା ଏ ଭିତରେ ଶେଷ ହୋଇଛି । କିନ୍ତୁ ମାନ୍ୟବର ସୁପ୍ରିମକୋର୍ଟ ରଥଯାତ୍ରା କିଭଳି ହେଲା, କ’ଣ କ’ଣ ସବୁ କଟକଣା ଲାଗୁ କରାଯାଇଥିଲା, ସେ ଉପରେ ପୂର୍ଣ୍ଣାଙ୍ଗ ରିପୋର୍ଟ ମାଗିଛନ୍ତି ।
ଏହି ରିପୋର୍ଟ ପ୍ରସ୍ତୁତିରେ ଲାଗିପଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ଏହାର ଅଂଶବିଶେଷ ସ୍ବରୂପ ଆସନ୍ତାକାଲିଠାରୁ ରଥଯାତ୍ରାରେ ସାମିଲ୍ ଥିବା ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ ହେଉଛି। ଏହି କାର୍ଯ୍ୟକ୍ରମ ଚାରିଦିନ ଧରି ଚାଲିବ। ଦୁଇଦିନ ତଳେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ପରିଚାଳନା କମିଟି ଓ ଛତିଶାନିଯୋଗର ଯୁଗ୍ମ ବୈଠକ ଡକାଯାଇଥିଲା। ଏହି ବୈଠକର ନିଷ୍ପତ୍ତିକ୍ରମେ ଜୁଲାଇ ୧୧, ୧୨, ୧୩ ଓ ୧୪ ତାରିଖ, ଚାରିଦିନ ଧରି ରଥଯାତ୍ରାରେ ସାମିଲ୍ ଥିବା ୪ହଜାରରୁ ଅଧିକ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ। ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ମାର୍କଣ୍ଡେଶ୍ବରସାହି ବାଳିକା ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଗାଡ଼ିଆ ଧର୍ମାଶଳାରେ ଏଥିପାଇଁ ସ୍ବାବ ସଂଗ୍ରହ କେନ୍ଦ୍ର ଖୋଲାଯାଇଥିବା ଶ୍ରୀମନ୍ଦିର ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ସୂଚନା ଦେଇଛନ୍ତି। ଚାରିଦିନ ଧରି ସ୍ବାବ୍ ସଂଗ୍ରହ ପରେ ରିପୋର୍ଟ ଆସିଲେ ସୁପ୍ରିମକୋର୍ଟଙ୍କ ନିକଟରେ ଏହା ଦାଖଲ ହେବ ବୋଲି ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ, ରଥଯାତ୍ରା ପୂର୍ବରୁ ବି ଉପରୋକ୍ତ ତିନୋଟି ସ୍ଥାନରେ ବିଭିନ୍ନ ନିଯୋଗର ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା। ସେବାୟତଙ୍କ ପରିବାରକୁ କରୋନା ଉପରେ ସଚେତନତା ସହ ସାନିଟାଇଜର ବଣ୍ଟାଯାଇଥିଲା। ବୟନିକାଠାରୁ ୫ହଜାର ମାସ୍କା କିଣାଯାଇ ସମସ୍ତଙ୍କୁ ବଣ୍ଟାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/srimandir-sebayata-corona-test10_Thumb.jpg)