ଛାତ୍ରଙ୍କୁ ପ୍ରେମ ଜାଲରେ ଫସାଇ ଦମ୍ପତି ଗିରଫ

ଥାନାରେ ଫିନାଇଲ ପିଇ ମହିଳା ଗୁରୁତର

ପୁରୀ : ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କଠାରୁ ସୁନା ଚେନ୍‌ ଓ ୫ ହଜାର ଟଙ୍କା ଲୁଟିନେବା ଅଭିଯୋଗରେ ଟାଉନ ଥାନା ପୁଲିସ ଏକ ଦମ୍ପତିଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ତେବେ ଥାନାରେ ଅଟକ ଥିବା ଏହି ମହିଳା ଜଣକ ଫିନାଇଲ ପିଇ ଦେବାରୁ ପୁଲିସକୁ ନାକେଦମ ହେବାକୁ ପଡ଼ିଛି। ଏହି ଦମ୍ପତି ଯୁବକମାନଙ୍କୁ କୌଶଳକ୍ରମେ ପ୍ରେମ ଜାଲରେ ଫସାଇବା ପରେ ବ୍ଲାକ୍‌ମେଲିଂ କରି ଲୁଟିଥାନ୍ତି ବୋଲି ପୁଲିସ କହିଛି।

ଗିରଫ ଦମ୍ପତି ହେଲେ କୁମ୍ଭାରପଡ଼ା ଥାନା ସିଦ୍ଧମହାବୀର ଅଞ୍ଚଳରେ ରହୁଥିବା ସନ୍ତୋଷ ଦାସ (୨୩) ଓ ତାଙ୍କ ପତ୍ନୀ ରିଆ ଦାସ (୨୦)। ସେମାନଙ୍କଠାରୁ ଏକ ଖେଳଣା ବନ୍ଧୁକ, ଛୁରି, ସ୍କୁଟର, ଦୁଇଟି ମୋବାଇଲ ଓ ସୁନାଚେନ୍ ଜବତ କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ସନ୍ତୋଷଙ୍କ ପତ୍ନୀ ରିଆ ବିଭିନ୍ନ ନମ୍ବରକୁ ଫୋନ କରି ଯୁବକମାନଙ୍କ ସହିତ ଯୋଗାଯୋଗ କରନ୍ତି। ମାସକ ତଳେ ରିଆ ଭୁବନେଶ୍ବରରେ ଜଣେ ଇଞ୍ଜିନିୟରିଂ ଛାତ୍ର ଶଶୀଭୂଷଣ ଦାସ (୨୧)ଙ୍କୁ ଫୋନରେ ଯୋଗାଯୋଗ କରି ତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ରିଆ ତାଙ୍କୁ ପୁରୀକୁ ଡକାଇବାରୁ ଶଶୀଭୂଷଣ ଗତ ୨୧ ତାରିଖରେ ପୁରୀ ଟାଉନ ଥାନା ଅନ୍ତର୍ଗତ ନାରୀ ସେବା ସଦନଠାରେ ପହଞ୍ଚିଥିଲେ। ସେଠାରେ ରିଆଙ୍କ ସ୍ବାମୀ ସନ୍ତୋଷ ପହଞ୍ଚି ପ୍ରେମିକା ପାଖରେ ପହଞ୍ଚାଇ ଦେବାକୁ କହି ଶଶୀଭୂଷଣଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା ଏବଂ ଏକ ଛୁରି ବାହାର କରି ଶଶୀଭୂଷଣଙ୍କ ବେକରୁ ସୁନା ଚେନ୍ ସହିତ ୫ ହଜାର ଟଙ୍କା ଲୁଟି ନେଇଥିଲା। ଏ ସମ୍ପର୍କରେ କାହାକୁ କହିଲେ ରେପ୍ କେସ୍‌ରେ ଫସାଇ ଦିଆଯିବ ବୋଲି ସନ୍ତୋଷ ଧମକ୍‌ ମଧ୍ୟ ଦେଇଥିଲା। ତେବେ ଏହାକୁ ଖାତିର ନକରି ଶଶୀଭୂଷଣ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ଗତକାଲି ସନ୍ତୋଷ ଓ ରିଆକୁ ଧରି ଆଣି ଥାନାରେ ଅଟକ ରଖିଥିଲା। ରାତି ପ୍ରାୟ ଗୋଟାଏ ବେଳକୁ ଥାନା କର୍ମଚାରୀଙ୍କ ଅଗୋଚରରେ ଟେବୁଲ ତଳେ ରଖାଯାଇଥିବା ଫିନାଇଲକୁ ରିଆ ପିଇ ଦେଇଥିଲେ। ଅସୁସ୍ଥ ହୋଇ ଛଟପଟ ହେବାରୁ ରିଆଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ରିଆ ସୁସ୍ଥ ହୋଇଥିବା ବେଳେ ଆଜି ଉଭୟ ସ୍ବାମୀ, ସ୍ତ୍ରୀଙ୍କୁ ଗିରଫ କରି ‌ପୁଲିସ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର