କାକଟପୁରରୁ କୁଖ୍ୟାତ ସାଇବର୍‌ ଅପରାଧୀ ଗିରଫ

ରିମାଣ୍ଡ୍‌ରେ ନେଲା ଭୋପାଳ ପୁଲିସ୍‌

କାକଟପୁର : ଭୋପାଳ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ପୁଲିସ୍‌କୁ ଚକମା ଦେଇ କାକଟପୁରରେ ରହୁଥିବା ଜଣେ କୁଖ୍ୟାତ ଅନ୍ତଃରାଜ୍ୟ ସାଇବର୍‌ ଅପରାଧୀକୁ ଆଜି ମଧ୍ୟପ୍ରଦେଶ ଭୋପାଳର ସାଇବର ହାଇଟେକ୍‌ କ୍ରାଇମ୍‌ ପୋଲିସ୍‌ ଗିରଫ କରିଛି । ଅପରାଧୀ ଜଣକ ହେଉଛି ମନୋଜ ସିହ୍ନା ନାୟକ । ଘର ଉତ୍ତର ପ୍ରଦେଶ କାନପୁର ଦେହାତ୍‌ ଜିଲ୍ଲା ପ୍ରହଲ୍ଲାଦପୁର ଗ୍ରାମରେ । ମନୋଜ ଭୋପାଳରେ ରହୁଥିବାବେଳେ ଏକ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ୍‌ ଖୋଲି ଜଣେ ମହିଳାଙ୍କ ସହିତ ବନ୍ଧୁତ୍ଵ କରିଥିଲା। ପରେ ସଂପୃକ୍ତ ମହିଳାଙ୍କୁ ସାହଯ୍ୟ ମାଗିବା ଆଳରେ ତା’ଠାରୁ ପ୍ରାୟ ୧୫ ଭରିରୁ ଅଧିକ ସୁନା ଏବଂ ୧ଲକ୍ଷ ୬୦ ହଜାର ଟଙ୍କା ଠକି ନେଇଥିଲା। ପରେ ଉକ୍ତ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ୍‌କୁ ବନ୍ଦ କରିଦେଇଥିଲା। ଠକାମିରେ ଶିକାର ହୋଇଥିବା ସଂପୃକ୍ତ ମହିଳା ଭୋପାଳର ସାଇବର ହାଇଟେକ୍‌ କ୍ରାଇମ୍‌ ପୋଲିସ୍‌ ଷ୍ଟେସନରେ ଅଭିଯୋଗ କରିବା ପରେ ପୁଲିସ୍‌୍‌ ଏକ ମାମଲା ରୁଜୁ କରି ଅପରାଧୀକୁ ଧରିବା ପାଇଁ ତନାଘନା ଚଳାଇଥିଲା । ତେବେ ମନୋଜ ଓଡ଼ିଶାରେ ରହୁଥିବା ସଂପର୍କରେ ଜଣାପଡ଼ିବା ପରେ ଭୋପାଳର ସାଇବର ପୋଲିସ୍‌ ସବ୍‌ ଇନସ୍‌ପେକ୍ଟର ହେମନ୍ତ ପାଠକଙ୍କ ନେତୃତ୍ଵରେ ଏକ ଦଳ ଓଡ଼ିଶା ଆସି ପ୍ରଥମେ ମନୋଜ ରହୁଥିବା ଯାଜପୁର ରୋଡର ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ । ତେବେ ପୋଲିସ୍‌ ତାକୁ ଖୋଜୁଥିବା ସଂପର୍କରେ ସୂଚନା ପାଇ ମନୋଜ ୨ଦିନ ତଳେ କାକଟପୁରରେ ଫେରିବାଲା ବେପାର କରୁଥିବା ତାର ଜଣେ ସଂପର୍କୀୟଙ୍କ ପାଖକୁ ଚାଲି ଆସିଥିଲା । ସେ କାକଟପୁରରେ ଥିବା ଜଣାପଡ଼ିବା ପରେ ଉକ୍ତ ତଦନ୍ତକାରୀ ଦଳ କାକଟପୁର ଆସି କଲେଜଛକ, ମେଡିକାଲ ଛକ ଆଦି ଅଂଚଳରେ ଚଢଉ କରି ଶେଷରେ ୟୁକୋ ବ୍ୟାଙ୍କ ପଛପଟ ହାଟସାହିର ଜଣେ ବ୍ୟକ୍ତିଙ୍କ ଘରୁ ଗିରଫ କରିବାରେ ସକ୍ଷମ ହୋଇଛି।

ସମ୍ବନ୍ଧିତ ଖବର