ପୁରୀ ହସ୍ପିଟାଲ ଶୌଚାଳୟରେ ଦଉଡ଼ି ଦେଇ ଦିନ ମଜୁରିଆଙ୍କ ଆତ୍ମହତ୍ୟା

ପୁରୀ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶୌଚାଳୟ ଭିତରେ ବୁଧବାର ଦଉଡ଼ି ଦେଇ ଜଣେ ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି। ମେଡିସିନ ଓ୍ଵାର୍ଡର ପୁରୁଷ ଶୌଚାଳୟ ଭିତର ପାର୍ଶ୍ୱରୁ ବନ୍ଦ ଥିବା କବାଟକୁ ଦେଖି ହସ୍ପିଟାଲ କର୍ମଚାରୀଙ୍କର ସନ୍ଦେହ ହୋଇଥିଲା। ପରେ ଏହାକୁ ଭଙ୍ଗା ଯିବାରୁ ଶୌଚାଳୟ ଭିତରେ ଜଣେ ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଥିବା ଦେଖାଯାଇଥିଲା।

ମିଳିଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର ବାବୁଲାଲ ସବର(୨୬) ପୁରୀରେ ଦିନ ମଜୁରିଆ କାମ କରନ୍ତି। ସେ ତାଳବଣିଆ ଥାନା ଅନ୍ତର୍ଗତ ମାଟିଆପଡ଼ା ନିବାସୀ ଠିକାଦାର ରବି ନାରାୟଣ ରାଉତରାୟଙ୍କ ଅଧିନରେ କାମ କରନ୍ତି। ଆଜି ସକାଳୁ କାମ କରିବାକୁ ବାହାରି ଥିବା ବେଳେ ଛାତି ଯନ୍ତ୍ରଣା ହୋଇଥିଲା। ଏହା ପରେ ବାବୁଲାଲଙ୍କୁ ସାଥୀ ଦିନ ମଜୁରିଆ ରବି ନାରାୟଣ ସକାଳ ୯ଟା ୧୦ରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅପରାହ୍ନ ୨ଟାରେ ବାବୁଲାଲ ଶୌଚାଳୟ ଯାଇ ବେଡ଼କୁ ଫେରି ନଥିଲେ।

ସୂଚନା ପାଇଁ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇ ଘଟଣାର ତଦନ୍ତ କରୁଛି। ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର