ଅସ୍ତରଙ୍ଗ: ଦେବୀନଦୀର ତାଳଦା ଘାଟରୁ ଆଜି ଏକ ଅଚିହ୍ନା ଯୁବକର ଶବକୁ ଠାବ କରିଛି ଅସ୍ତରଙ୍ଗ ପୁଲିସ୍। ମୃତ ଯୁବକର ପରିଚୟ ମିଳିନଥିଲା ବେଳେ ବୟସ ପ୍ରାୟ ୩୫ରୁ ୪୦ ବର୍ଷ ହେବ ଅନୁମାନ କରାଯାଉଛି। ସେ ଏକ ଜିନ୍ ପ୍ୟାଣ୍ଟ୍ ପିନ୍ଧିଥିବା ବେଳେ ତଳମୁହାଁ ଅବସ୍ଥାରେ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଏହି ଦୃଶ୍ୟ ଦେଖିବାପରେ ଅସ୍ତରଙ୍ଗ ଥାନାକୁ ଖବର ଦେଇଥିଲେ। ଥାନା ଅଧିକାରୀ ପଞ୍ଚାନନ ପରିଡ଼ା ଏକ ଟିମ୍ ନେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ପ୍ରାୟ ମାସକ ମଧ୍ୟରେ ଏପର୍ଯ୍ୟନ୍ତ ଦେବୀନଦୀର ବିଭିନ୍ନ ସ୍ଥାନରୁ ତିନୋଟି ମୃତଦେହ ଠାବ ହୋଇସାରିଛି। ଏମାନଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଦୁଇଜଣଙ୍କର ପରିଚୟ ମିଳି ପାରିନାହିଁ। ଦେବୀନଦୀ ତ୍ରିକୋଣ ବାହାରି ମୁହାଣ ଦେଇ ସମୁଦ୍ରରେ ମିଶିଛି। କୌଣସିଠାରେ ପାଣିରେ କେହି ବୁଡ଼ିଯିବା ହେଉ ବା ହତ୍ୟାକାଣ୍ଡ ପରେ ପାଣିରେ ଫିଙ୍ଗିଦେବାରୁ ଜୁଆରିଆ ଦେବୀ ତଥା ଶାଖାନଦୀର କୂଳ ଓ ପଠାରେ ଅଚିହ୍ନା ଶବ ଲାଗୁଛି। ରାଜ୍ୟର ତଳିଆ ଅଞ୍ଚଳ, ନଦୀନାଳ ଓ ବିସ୍ତୀର୍ଣ୍ଣ ବ୍ୟାପି ସମୁଦ୍ର ଅଞ୍ଚଳରେ ବିଗତ ଦିନମାନଙ୍କର ଏଭଳି ଘଟଣା ଦେଖିବାକୁ ମିଳିବାରୁ ଦେବୀନଦୀ ଏବେ ଅଚିହ୍ନା ଶବର ଏନ୍ତୁଡ଼ିଶାଳ ପାଲଟିବା କୁହାଯାଇଛି।