ପୁରୀ/ଡେଲାଙ୍ଗ : ଡେଲାଙ୍ଗ ଅଞ୍ଚଳର ବିଜେଡ଼ି ତୁଙ୍ଗ ନେତା ତଥା ପୁରୀ-ନିମାପଡ଼ା ସମ୍ମିଳିତ ବ୍ୟାଙ୍କ୍ ଡେଲାଙ୍ଗର ନିର୍ଦ୍ଦେଶକ ଚିତ୍ରସେନ ନିଶଙ୍କ ଶେଷରେ ଧରା ପଡ଼ିଛନ୍ତି। ଡେଲାଙ୍ଗ ପୁଲିସ୍ ଓ କମିସନରେଟ୍ ପୁଲିସ୍ ମିଳିତ ଚଢ଼ଉ କରି ଭୁବନେଶ୍ୱର ଜୟଦେବ ଭବନ ପରିସରରୁ ଗିରଫ କରିଛି। ଏକ ସମବାୟ ବୈଠକରେ ଯୋଗଦେବା ପାଇଁ ଯାଉଥିବା ବେଳେ ଯୋଜନାବଦ୍ଧ ଭାବରେ ହୋଇଥିବା ଏହି ଚଢ଼ଉ ସଫଳ ହୋଇଛି। ୨ଟି ହତ୍ୟା ମାମଲାରେ ସମ୍ପୃକ୍ତ ଥାଇ ସେ ଫେରାର ଥିବା ପୁଲିସ୍ ଦର୍ଶାଉଥିଲେ ମଧ୍ୟ ବିଜେଡ଼ି ନେତାଙ୍କ ସହ ତାଙ୍କୁ ଦେଖିବାକୁ ମିଳୁଥିଲା। ବିଜେଡ଼ିର ଛତ୍ରଛାୟା ତଳେ ଥାଇ ସେ ବଞ୍ଚି ବଞ୍ଚି ଯାଉଥିଲେ। ପୁଲିସ୍ ତାଙ୍କୁ ଫେରାର ଦର୍ଶାଉଥିବା ବେଳେ ଏଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ଫଟୋ ସମ୍ବାଦର ହସ୍ତଗତ ହୋଇଥିଲା। ଅଗଷ୍ଟ ୩୦ ତାରିଖ ଦିନ ଏ ବାବଦରେ ଖବର ପ୍ରକାଶ ପାଇଥିଲା। ଏହାର ୩ ମାସ ପରେ ପୁଲିସ୍ ଚଢ଼ଉ କରି ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ୍ ସୂଚନା ମୁତାବକ ୨୦୧୭ ମସିହା ଅପ୍ରେଲ ୧୨ ତାରିଖ ଦିନ ପ୍ରସନ୍ନ ବୈରୀଗଞ୍ଜନ ଓ ତାଙ୍କ ପତ୍ନୀ ଯାତ୍ରା ଦେଖି ଫେରୁଥିଲେ। ବାଟରେ ଚିତ୍ରସେନ ଓ ଅନ୍ୟ ୧୫ ଜଣ ସଂଘବଦ୍ଧ ଭାବରେ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ମେଡ଼ିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣାରେ ପୁଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ ନ କରିବାରୁ ପ୍ରସନ୍ନଙ୍କ ପତ୍ନୀ ଭାନୁମତି ଏସ୍ପିଙ୍କୁ ଦେଖା କରିଥିଲେ। ଏସ୍ପିଙ୍କୁ ଦେଖା କରିବା ପରେ ଆକ୍ରୋଶ ବଢ଼ିଥିଲା। ସେହିଭଳି ଅକ୍ଟୋବର ୬ ତାରିଖ ଦିନ ନିରଞ୍ଜନ ବଳବନ୍ତରାୟଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ମଧ୍ୟ ଚିତ୍ରସେନ ନିଶଙ୍କ ଅଭିଯୁକ୍ତ ଥିଲେ। ହେଲେ ତାଙ୍କୁ ଗିରଫ କରାଯାଉନଥିଲା। ଘଟଣା ପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଫଟୋ ଉଠାଇ ଫେସ୍ବୁକ୍ରେ ଅପ୍ଲୋଡ଼୍ କରିଥିଲେ।