ଭୁବନେଶ୍ବର : ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମ୍ଏଫ୍ରେ ବ୍ୟାପକ ହରିଲୁଟ୍ ହେଉଛି। ଆଦିବାସୀ ଅଞ୍ଚଳରେ ଲୋକଙ୍କ ପାଇଁ ଖର୍ଚ କରାଯିବା ବଦଳରେ ଅନ୍ୟ ବାଟରେ ଏହାକୁ ଖର୍ଚ କରାଯାଉଛି। ତେଣୁ ଠିକଣା ଢଙ୍ଗରେ ଏହାକୁ ଖର୍ଚ କରିବା ପାଇଁ ଦାବି କରିଛି ଇଣ୍ଡିଜିନିୟନ୍ ପିପୁଲ୍ସ ଫୋରମ୍। ଆଜି ଫୋରମ୍ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମାନଗୋବିନ୍ଦ ବେଶ୍ରା କହିଲେ, ଡିଏମ୍ଏଫ୍ରେ ଯେଉଁ ଏଜେନ୍ସିମାନଙ୍କୁ ନିଆଯାଉଛି ସେମାନଙ୍କର ପଞ୍ଜୀକରଣ ଠିକ୍ଭାବେ ହେଉନାହିଁ। ତେଣୁ ରାଜ୍ୟ ସରକାର ଏଜେନ୍ସିଗୁଡ଼ିକର ଠିକ୍ରେ ପଞ୍ଜୀକରଣ କରନ୍ତୁ। ଏହାସହ ପାଣ୍ଠିକୁ ସ୍ଥାନୀୟ ଅଞ୍ଚଳରେ କୃଷିଜାତ, ଜଙ୍ଗଲ ଓ ଔଷଧୀୟ ବୃକ୍ଷ ରୋପଣ ଉପରେ ମଧ୍ୟ ଖର୍ଚ କରାଯିବାର ଆବଶ୍ୟକତା ରହିଛି। ପାଣ୍ଠିର ଉପଯୁକ୍ତ ବିନିଯୋଗର ତଦାରଖ କରିବା ପାଇଁ ଏକ ଭିଜିଲାଣ୍ଟ କମିଟି ଗଠନ କରାଯାଉଛି। ରାଜ୍ୟରେ ଆଦିବାସୀ ଆଇନର ବ୍ୟାପକ ଉଲ୍ଲଂଘନ ହେଉଛି ବୋଲି ଶ୍ରୀ ବେଶ୍ରା କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଆଇପିଏଫ୍ଓର ଆବାହକ ଥିଓଫିଲ ଗମାଙ୍ଗୋ, ବିବୋଲ ଟୋପ୍ପୋ, ବିଜୁରାଜ ସୋରେନ୍ ଓ ଜଗବନ୍ଧୁ ସୋରେନ୍ ପ୍ରମୁଖ ଉପସ୍ଥିତ ଥିଲେ।