ପୁରୀ : ସମୁଦ୍ରରୁ ଦକ୍ଷିଣବର୍ତ୍ତ ଶଙ୍ଖ ଭାଗ୍ୟରେ ଥିଲେ ମିଳେ। କିନ୍ତୁ ଏହି ସୌଭାଗ୍ୟ ମୋତେ ପିଲାଟି ବେଳୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ମୋତେ ଏହି ସୌଭାଗ୍ୟ ପିଲାଟିବେଳୁ ଦେଇଛନ୍ତି। ଆଉ ଏଇଠୁ ହିଁ ମୋ ଭାଗ୍ୟରେ ପରିବର୍ତନ ଆସିଛି ବୋଲି କହିଛନ୍ତି ଅବସରପ୍ରାପ୍ତ ପ୍ରିନ୍ସିପାଲ ତଥା ବରିଷ୍ଠ ଲେଖିକା ଡ. ତୁଳସୀ ଓଝା।
Sambad is now on WhatsApp
Join and get latest news updates delivered to you via WhatsApp
ସାହିତ୍ୟ କ୍ଷେତ୍ରରେ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ସୁଖ୍ୟାତି ଅର୍ଜନ କରିଥିବା ଡ. ଓଝା କହିଛନ୍ତି ଯେ ପିଲାଟି ବେଳୁ ମହାପ୍ରଭୁଙ୍କ ମୁଁ ଜଣେ ନିଃସ୍ବାର୍ଥପର ଭକ୍ତ। ବିପଦଆପଦରୁ ମହାପ୍ରଭୁ ହିଁ ମୋତେ ଉଦ୍ଧାର କରିଛନ୍ତି। ସେତେବେଳେ ସପ୍ତମରେ ପଢ଼ୁଥାଏ। ବାପା-ମାଙ୍କ ସହ ପୁରୀ ବୁଲି ଆସିଥାଏ। ସମୁଦ୍ର କୂଳେ ଗାଧୋଇବା ସମୟରେ ହଠାତ୍ ମୋ ଆଗରେ ଏକ ବଡ଼ ଦକ୍ଷିଣବର୍ତ୍ତ ଶଙ୍ଖ ଆସି ଲାଗିଥିଲା। ଦୌଡ଼ିଯାଇ ଏହି ଶଙ୍ଖକୁ ଉଠାଇ ଆଣିଥିଲି। ଉଠାଇବା ସମୟରେ ହଠାତ୍ ଏକ କଳା ବିଛା ଏଥିରୁ ପଳାଇଥିଲା। ବାପା-ମାଙ୍କୁ ଶଙ୍ଖ ଆଣି ଦେଖାଇବା ପରେ ସେମାନେ ବି ବହୁତ ଖୁସି ହୋଇଯାଇଥିଲେ। କାରଣ ଦକ୍ଷିଣବର୍ତ୍ତ ଶଙ୍ଖ ସେଭଳି କାହାକୁ ମିଳେନି। ମୋତେ ଯେତେବେଳେ ଏହି ଶଙ୍ଖ ମିଳିଲା, ସେବେ ଅନେକ ଭଲ କଥା ବି ଶୁଣିଛି। ଏହି ଶଙ୍ଖ ଏବେ ବି ଆମ ଠାକୁର ଘରେ ପୂଜା ପାଉଛି। ଶ୍ରୀକ୍ଷେତ୍ରରେ ଏହି ସୌଭାଗ୍ୟ ପାଇ ମୁଁ ଧନ୍ୟ ମନେ କରିଥିଲି। କାରଣ ମହାପ୍ରଭୁଙ୍କ କ୍ଷେତ୍ରରେ କାହାକୁ ବା ଏହି ସୌଭାଗ୍ୟ ମିଳେ। ଏହି ସ୍ମୃତି ଆଜି ବି ମୋ ଆଖି ଆଗରେ ନାଚି ଉଠୁଛି। ମୁଁ ଜାଣି ନେଇଥିଲି ମହାପ୍ରଭୁଙ୍କ କୃପା ମୋ ପ୍ରତି ଅଛି। ଆଉ ମହାପ୍ରଭୁଙ୍କ କୃପାରେ ଆଜି ମୁଁ ଏତେବାଟରେ ପହଞ୍ଚିଛି। ଦକ୍ଷିଣବର୍ତ୍ତ ଶଙ୍ଖ ଉଠାଇବା ସମୟରେ ଏହା ଭିତରୁ ହଠାତ୍ ବାହାରକୁ ଏକ କଳା ବିଛା ବି ଚାଲଯିବା ଆଖି ଆଗରେ ନାଚି ଉଠୁଛି। ଏହାର ରହସ୍ୟ ବି ପରବର୍ତ୍ତୀ ସମୟରେ ମୁଁ ବୁଝିପାରିଛି।