ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ: କୂଳରେ ପିଟୁଛି ବଡ଼ ବଡ଼ ଲହଡ଼ି

ଅସ୍ତରଙ୍ଗ: ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅସ୍ତରଙ୍ଗ ଉପକୂଳରେ ବାତ୍ୟା ପୂର୍ବର ସ୍ଥିତି ଜାରି ରହିଛି| ଗତକାଲିଠାରୁ କୋହଲା ପାଗ ସାଙ୍ଗକୁ ଆକାଶ ମେଘାଛନ୍ନ ରହି ପବନ ବହିବା ଆରମ୍ଭ କରିଛି। ସମୁଦ୍ର ଭୟଙ୍କର ଆଶାନ୍ତ ରୂପ ଧାରଣ କରି କୂଳରେ ବଡ଼ ବଡ଼ ଢେଉ ପିଟିହେଉଛି। ଢେଉ ମାଡ଼ରେ ବାଲି ଧୋଇ ହୋଇଯାଉଛି। ସବୁ ବାତ୍ୟା ବେଳେ ସାଧାରଣତଃ ସମୁଦ୍ର ଅଶାନ୍ତ ରହିଥାଏ,  କିନ୍ତୁ ଦିନକୁ ଦିନ ଏହା ଅତି ଭୟଙ୍କର ରୂପ ଧାରଣ କରି କୂଳ ଲଙ୍ଘିବାରେ ଉପକୂଳ ପ୍ରତି ବିପଦ ସୃଷ୍ଟି କରିଛି।

ଏବେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଜାରିରହିଥିବା ଘୁର୍ଣ୍ଣିଝଡ଼ର ସାମାନ୍ୟ ପ୍ରଭାବ ଅସ୍ତରଙ୍ଗ ଉପକୂଳରେ ଜାରି ରହିବା ବେଳେ କେତେବେଳେ କ’ଣ ହେବ କହିହେଉନି। ପାଣିପାଗ ବିଭାଗର ସୂଚନା ମୁତାବକ ଯଦିଓ ଓଡ଼ିଶା ଉପରେ ବିଶେଷ ପ୍ରଭାବ ନାହିଁ,  କିନ୍ତୁ ଆସନ୍ତାକାଲି ଅମାବାସ୍ୟା ଓ ସୂର୍ଯ୍ୟ ପରାଗ ଥିବାରୁ ସମୁଦ୍ର ଆହୁରି ଅଶାନ୍ତ ହେବାର ସମ୍ଭାବନା ରହିଛି।  ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁ ଜଳରାଶି ଫୁଲି ଉଠି ଜୁଆର ମାଡ଼ିଆସିବା ଭୟ ରହୁଛି। ସମୁଦ୍ର ଅଶାନ୍ତ ସମୟରେ ବହୁ ସମୟରେ କେଉଟଜଙ୍ଗା ଓ ଉଦୟକଣି ନିକଟରେ ସମୁଦ୍ର କୂଳ ଲଙ୍ଘିବା ନଜିର ରହିଛି। ଏହି ଦୃଷ୍ଟିକୋଣରୁ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି |

ସମ୍ବନ୍ଧିତ ଖବର