ପୁରୀ: ପକେଟ୍ରେ ଟଙ୍କା ଗୁଞ୍ଜିଲୁ, ଖାଇବାକୁ ଚିକେନ୍ ବି ଦେଲୁ। ବିଜୁଳି ଆସିଲା, ହେଲେ ଆସିବା ଦିନଠୁ ଖେଳୁଛି ଲୁଚକାଳି। ଜଳୁଛି କମ୍ ଲିଭୁଛି ଅଧିକ। କେତେବେଳେ ହାଇ ଭୋଲଟେଜ୍ ତ ଆଉ କେତେବେଳେ ଲୋ…। ଏମିତି ସ୍ଥିତିରେ ବିପଦ ଆଶଙ୍କା ରହୁଛି। କେତେକ ସ୍ଥାନରେ ହାଇ ଭୋଲଟେଜ୍ ଓ ଘନଘନ ଟ୍ରିପ୍ କାରଣରୁ ବିଜୁଳି ବଲ୍ ବି ଫାଟିଗଲାଣି। ବିଦ୍ୟୁତ ସରଞ୍ଜାମ ଜଳିଯିବାର ଭୟ ସବୁ ବେଳେ ଘାରୁଛି।
ମେ ୩ ତାରିଖରେ ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପୂରା ସହରକୁ ଅନ୍ଧାର କରିଦେଇଥିଲା। ବିଜୁଳି ଖୁଣ୍ଟ କଣ, ବଡ଼ ବଡ଼ ଟାୱାରକୁ ବି ମାଟିରେ ଶୁଆଇ ଦେଇଥିଲା। ବାତ୍ୟାର ୧୮ ଦିନ ପରେ ବଡ଼ଦାଣ୍ଡକୁ ବିଜୁଳି ଆସିଲା। ଏହା ପରେ ସାହିଗଳିକୁ ଦିଆଯାଉଛି। ଏହାମଧ୍ୟରେ ସମସ୍ତ ୩୩ କେଭି ଓ ୧୧ କେଭି ବିଦ୍ୟୁତ ଲାଇନ୍ରେ ସଂଯୋଗ ଦିଆସରିଛି। ମାତ୍ର ଏଲ୍ଟି ଲାଇନ୍ ପ୍ରସ୍ତୁତ ହୋଇପାରୁନି। ଖୁଣ୍ଟି ବସାଇ ତାର ଟାଣିବା ଓ ଫଲ୍ଟ ଦେଖି ବିଜୁଳି ସଂଯୋଗ ଦେବାରେ ଲାଗିଯାଉଛି ଅନେକ ଦିନ। ତେବେ ବିଦ୍ୟୁତ କର୍ମଚାରୀଙ୍କ ନିରନ୍ତର ପ୍ରୟାସ ଯୋଗୁ ଅଧିକାଂଶ ଘରେ ବିଜୁଳି ଜଳିଲେ ବି ଏହା ଅନ୍ଧାରକୁ ବଳିଯାଉଛି। ଖାଲି ଲୁଚକାଳି ଖେଳୁନି ବିଜୁଳି, ବିପଦକୁ ବି ଡାକି ଆଣୁଛି। ବାଲିସାହିର ଶିବଚରଣ ରଥଙ୍କ କହିବାନୁଯାୟୀ, ୨୭ ଦିନ ପରେ ବିଜୁଳି ମିଳିଲା। କିନ୍ତୁ ମିଳିବାର ୨୪ ଘଣ୍ଟା ମଧ୍ୟରେ ୯ ଥର କଟିଲାଣି। ବୁଧବାର ରାତି ଗୋଟାଏରୁ ଯାଇଛି ଯେ ଗୁରୁବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ଆସିନଥିଲା। ଆସିଲେ, ରହିବ କି ନାହିଁ ତାହା ବି ସନ୍ଦେହ। ହରଚଣ୍ଡୀ ସାହିର ରବିନ୍ଦ୍ର ପଢ଼ିଆରୀ କହିଛନ୍ତି, ବିଜୁଳି ପାଇଁ କର୍ମଚାରୀଙ୍କ ପକେଟ୍ରେ ୫ ଶହ ଟଙ୍କିଆ ଗୁଞ୍ଜି ଦେଇଛୁ। ଖୁଣ୍ଟ ଚଢ଼ି ମରାମତି କରିବା ପୂର୍ବରୁ ଚିକେନ୍ ବି ଖାଇବାକୁ ଦେଇଛୁ। ହେଲେ ବିଜୁଳି ଆସିବା ବେଳଠୁ ଏକାଦିକ୍ରମେ ୫ ଘଣ୍ଟା ବି ଜଳିନି। ଖାଲି ଯାଉଛି ଆଉ ଆସୁଛି। କେତେବେଳେ ହାଇ ଭୋଲ୍ଟେଜ୍ ଆସୁଛି ତ କେତେବେଳେ ପୁଣି ଲୋ ହୋଇଯାଉଛି। ବୁଧବାର ରାତିରେ ହଠାତ୍ ହାଇ ଭୋଲଟେଜ୍ ଆସିବାରୁ ତାଙ୍କ ଘରର ଗୋଟିଏ ଏଲ୍ଇଡି ବଲବ୍ ଫାଟିଗଲା। ଖାଲି ସେତିକି ନୁହେଁ, ପଡ଼ିଶା ଘରର ଗ୍ରାଇଣ୍ଡର ପୋଡ଼ି ଯାଇଥିବା ସେ କହିଛନ୍ତି। ଏମିତି ଆହୁରି କାହାର କେତେ କ୍ଷତି ହୋଇଥିବ ତାହା ଜଣାପଡ଼ିନାହିଁ।
ବଡ଼ଦାଣ୍ଡରେ କେବୁଲ ସଂଯୋଗ ଥିବାରୁ ସେଠାରୁ ଖାଲି ଅଭିଯୋଗ ଆସୁନାହିଁ। ଅନ୍ୟ ସବୁଠୁ ଏମିତି ଅଭିଯୋଗ ମିଳୁଛି। ବିଜୁଳି ଲୁଚକାଳି ଖେଳିବା ସହ ଭୋଲଟେଜ୍ ଅପ୍ଡାଉନ୍ ହୋଇ ବିପଦ ଆଣୁଛି। ପୋଡ଼ିଯିବାର ଭୟ ଥିବାରୁ ଅନେକ ଲୋକ ଦାମୀ ବିଦ୍ୟୁତ୍ ସାମଗ୍ରୀ ବ୍ୟବହାର ବନ୍ଦ କରି ଦେଇଛନ୍ତି। ଅନ୍ୟପକ୍ଷରେ ଫେଡ୍କୋର ଡିଭିଜନାଲ ମ୍ୟାନେଜର ଅମୀୟ କୁମାର ବେହୁରା କହିଛନ୍ତି, ବିପର୍ଯ୍ୟସ୍ତ ବ୍ୟବସ୍ଥାକୁ ଆମେ ସଜାଡ଼ି ଚାଲିଛୁ। ବିଜୁଳି ସଂଯୋଗ ଦେବା ପରେ ଯାହା ଯେଉଁଠି ଫଲ୍ଟ ନଜରକୁ ଆସୁଛି, ତାର ମରାମତି କରାଯାଉଛି। ବିଜୁଳି କଟିବା ଅଭିଯୋଗ ସମ୍ପର୍କରେ ସେ କହିଲେ, ଗୋଟିଏ କଲୋନିକୁ ବିଜୁଳି ସଂଯୋଗ ମିଳିବା ପରେ ପଛ କଲୋନିକୁ ସଂଯୋଗ ଦିଆଯାଉଛି। ତେଣୁ ପଛ ବସତିକୁ ବିଜୁଳି ସଂଯୋଗ ଦେବା ବେଳେ ଆଗ ସଂଯୋଗକୁ ନକାଟିଲେ, କାମ କେମିତି କରିବୁ। ତେଣୁ କାମ କରିବା ବେଳେ ବନ୍ଦ ରଖାଯାଉଛି। ଆଉ କେତେକ ସ୍ଥାନରେ ଫଲ୍ଟ ଯୋଗୁ ଏପରି ସମସ୍ୟା ହେଉଛି। ତୁରନ୍ତ ସେସବୁ ଠିକ୍ କରାଯିବ। ଟଙ୍କା ନେବା ଓ ଚିକେନ୍ ଖାଇବା ସମ୍ପର୍କରେ ତାଙ୍କର ମତ ହେଲା, କାହାକୁ ପ୍ରଲୋଭିତ କରିବା ଲାଗି ଏମିତି ଚିଜ ବା ଟଙ୍କା ଦିଅନ୍ତୁ ନାହିଁ। ଯଦି କେହି ମାଗିବେ, ତେବେ ଫେଡ୍କୋ ଜିଲ୍ଲା କାର୍ଯ୍ୟାଳୟରେ ଜଣାନ୍ତୁ। କୌଣସି ସ୍ଥିତିରେ ଦୁର୍ନୀତିକୁ ପ୍ରଶୟ ଦିଆଯିବନି ବୋଲି ସେ କହିଥିଲେ।
ବିଜୁଳି ସଂଯୋଗ ପରେ ଲୁଚକାଳି ଖେଳ,ଜଳୁଛି କମ୍, ଲିଭୁଛି ଅଧିକ
ଭୋଲଟେଜ୍ ଅପ୍ଡାଉନ୍ ପୋଡ଼ିଯାଉଛି ବିଦ୍ୟୁତ ସରଞ୍ଜାମ
/sambad/media/post_attachments/wp-content/uploads/2019/05/electric-current.jpg)