ପୁରୀ: ପୁରୀ-କୋଣାର୍କ ରାସ୍ତାର ବାଲିଗୁଆଳିଠାରେ ଜଙ୍ଗଲୀ ହାତୀଟି ଆଜି ସକାଳେ ଥିବାର ଖବର ମିଳିଛି।ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଅତିକ୍ରମ କରି ବାଲିଗୁଆଳିରେ ପହଞ୍ଚିଛି। ପୁରୀ ବାଲିଖଣ୍ତ ଅଭୟାରଣ୍ୟ ଭିତରକୁ ହାତୀ ପଶିଯାଇଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି।ଏଣେ ହାତୀକୁ ଘଉଡ଼ାଇବା ଲାଗି ବନବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। ଏଣେ ହାତୀକୁ ଟ୍ରାଙ୍କୁଲାଇଜ୍  କରି କାବୁ କରାଯିବା ଲାଗି ନିଷ୍ପତ୍ତି ହୋଇଥିବା ଜଣାଯାଇଛି। ତେଣେ ହାତୀ ପାଇଁ ଚିନ୍ତାରେ ଅଛନ୍ତି ସ୍ଥାନୀୟ ଅଧିବାସୀ।

Advertisment

publive-image

ସୂଚନାଯୋଗ୍ୟ, ପୁରୀ ସଦର ବ୍ଲକରେ ସୋମବାର ଦିନ ଏକ ଦନ୍ତାହାତୀ ପଶି ଆତଙ୍କ ଖେଳାଇଛି। ସନ୍ଧ୍ୟା ସୁଦ୍ଧା ଏହି ହାତୀ ଭାର୍ଗବୀ ନଦୀ ଡେଇଁ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ କଡ଼ ତରଜଙ୍ଗ ଗାଁ’ରେ ପହଞ୍ଚିଥିବା ବନବିଭାଗ ଠାବ କରିଥିଲା। ରାତି ୧୧ଟାରେ ଏହି ଦନ୍ତା ପୁରୀ ସହରର ଅଠରନଳା ନିକଟ ଖଣ୍ଡିଆବନ୍ଧରେ ପହଞ୍ଚିଯାଇଥିଲା। ରାତି ୧୨ଟାରେ ଦନ୍ତା ହାତୀଟି ପୁରୀ ସହରର ଏକ ନମ୍ବର ୱାର୍ଡର ମାଟିତୋଟା ଅଞ୍ଚଳରେ ପଶିଥିଲା। ଏହାକୁ ନେଇ ସହରରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିବା ବେଳେ ବନବିଭାଗର ଚିନ୍ତା ବି ବଢ଼ିଯାଇଛି। ଏଣୁ ଜଙ୍ଗଲ ଦେଇ ଯେଉଁ ପଥରେ ହାତୀ ଆସିଥିଲା, ତାକୁ ସେହି ରାସ୍ତା ଦେଇ ବନବିଭାଗ ଘଉଡ଼ାଇବାକୁ ଚେଷ୍ଟା କରୁଛି। ସେପଟେ ଭୟରେ ରାତିରେ ଲୋକଙ୍କ ଘରେ ତାଟିକବାଟ ପଡ଼ିଛି। ବନବିଭାଗ ବି ଡାକବାଜି ଜରିଆରେ କେହି ରାତିରେ ବାହାରେ ନ ବୁଲିବାକୁ ସତର୍କ ସୂଚନା ଦେଇଛି। ପ୍ରଥମ ଥର ପାଇଁ ପୁରୀ ସହରରେ ଦନ୍ତାହାତୀକୁ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ଅନ୍ୟପଟେ ହାତୀଟି ଖୋଲା ଜାଗାକୁ ନ ଆସି ଜଙ୍ଗଲ ଭିତରେ ଲୁଚି ରହୁଯିବାରୁ ବନବିଭାଗ ହାତୀକୁ ଠାବ କରିବାରେ ଆଜି ଦିନତମାମ ନାକେଦମ ହୋଇଛି। ସେପଟେ ହାତୀକୁ ଘଉଡ଼ାଇବା ପାଇଁ ପୁରୀ ବନଖଣ୍ଡ ସହ ଖୋର୍ଦ୍ଧା ବନଖଣ୍ଡର ଅଧିକାରୀ ଓ କର୍ମଚାରୀମାନେ ବି ଲାଗିଛନ୍ତି। ଦିନରେ ହାତୀକୁ ଘଉଡ଼ାଇବା ସମ୍ଭବ ନ ହେବାରୁ ବନବିଭାଗ ସନ୍ଧ୍ୟା ଗଡ଼ିବା ପରେ ନିଆଁହୁଳା, ବାଣ ଫୁଟାଇ ଓ ସର୍ଚ୍ଚ ଲାଇଟ୍ ପକାଇ ହାତୀ ଘଉଡ଼ାଇବା କାମ ଜାରିରଖିଛି। କିନ୍ତୁ ହାତୀ ଖୋର୍ଦ୍ଧା ବନଖଣ୍ଡ ଆଡ଼କୁ ଯିବା ପରିବର୍ତ୍ତେ ପୁରୀ ସହରରେ ପ୍ରବେଶ କରିଛି। ବନଖଣ୍ଡ ଅଧିକାରୀ ପି. ରାମାସ୍ବାମୀ, ଏସିଏଫ୍ ଉତ୍ତମ ଗଡ଼ନାୟକ, ପୁରୀ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା ପ୍ରମୁଖ ଘଟଣାସ୍ଥଳରେ ଜଗି ରହିବା ସହ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।
ସୋମବାର ସକାଳେ ଦନ୍ତାହାତୀଟି ପୁରୀ ସଦର ବ୍ଲକ୍ ପ୍ରତାପ ପୁରୁଷୋତ୍ତମପୁର(ପାଙ୍କଳ) ପଞ୍ଚାୟତ କୃଷ୍ଣାଞ୍ଜନପୁର ଗାଁ ନିକଟରେ ଦେଖିବାକୁ ମିଳିଥିଲା। ଭାର୍ଗବୀ ନଦୀର ଗୋଟିଏ ପାର୍ଶ୍ବରେ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥକୁ ଲାଗିଥିବା କୃଷ୍ଣାଞ୍ଜନପୁର ଗାଁ ରାସ୍ତାରେ ହାତୀଟି ବୁଲୁଥିବା ସ୍ଥାନୀୟ ଲୋକେ ଦେଖି ବନବିଭାଗକୁ ଖବର ଦେଇଥିଲେ।