ଭିଜିଲାନ୍ସ ଜାଲରେ ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ

ଗାଡ଼ିରୁ ମିଳିଲା ୩.୨୮ ଲକ୍ଷ
ଭୁବନେଶ୍ୱର କ୍ୱାର୍ଟର୍ସ, ଘରେ ରାତିଅଧିଆ ଚଢ଼ଉ

ପୁରୀ/କଟକ : ପୁରୀ ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନିରଜ କୁମାର ଦାଶ ଆଜି ରାତିରେ ଭିଜିଲାନ୍‌ସ ଜାଲରେ ଧରାପଡ଼ିଛନ୍ତି। ପୁରୀରୁ ଭୁବନେଶ୍ୱର ଯିବା ବାଟରେ ପିପିଲି ଟୋଲ୍‌ ଗେଟ୍‌ ନିକଟରେ ଭିଜିଲାନ୍‌ସ ଟିମ୍‌ ଶ୍ରୀ ଦାଶଙ୍କୁ କାବୁ କରିବା ସହ ତାଙ୍କ ଗାଡ଼ିରୁ ୩.୨୮ ଲକ୍ଷ ଟଙ୍କା ଜବତ କରିଛି। ଏହି ଚଢ଼ଉ ପରେ ଭିଜିଲାନ୍‌ସର ଏକାଧିକ ଟିମ୍‌ ଶ୍ରୀ ଦାଶଙ୍କ ସିଆର୍‌ପିସ୍ଥିତ କ୍ୱାର୍ଟର୍ସ ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ କରିଛନ୍ତି। ଯାଞ୍ଚ ସମୟରେ ଶ୍ରୀ ଦାଶଙ୍କ ନାଁରେ ଭୁବନେଶ୍ୱରରେ ଦୁଇଟି ଫ୍ଲାଟ୍‌ ଓ ଏକ ଜମି ରହିଥିବା ଜଣାପଡ଼ିଛି ବୋଲି ପୁରୀ ଭିଜିଲାନ୍‌ସ ଡିଏସ୍‌ପି ହରନାରାୟଣ ପତି କହିଛନ୍ତି। ଚଢ଼ଉ ଜାରି ରହିଥିବାରୁ ସମ୍ପତ୍ତିର ଆକଳନ କରାଯାଇନଥିବା ଶ୍ରୀ ପତି କହିଛନ୍ତି। ଶ୍ରୀ ପତିଙ୍କ ସୂଚନା ମୁତାବକ, ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାଶ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଆଜି ନିଜ ଗାଡ଼ିରେ ସେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍‌ସର ପୁରୀ ଓ ଭୁବନେଶ୍ୱର ଟିମ୍‌ ପିପିଲି ଟୋଲ୍‌ ଗେଟ୍‌ ନିକଟରେ ଜଗି ରହିଥିଲେ। ଶ୍ରୀ ଦାଶ ପିପିଲି ଟୋଲ୍‌ ଗେଟ୍‌ ନିକଟରେ ପହଂଚିବା ମାତ୍ରେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍‌ସ ଟିମ୍‌ ତାଙ୍କୁ କାବୁ କରି ନେଇଥିଲେ। ଯାଞ୍ଚ ସମୟରେ ଗାଡ଼ିରୁ ନଗଦ ୩.୨୮ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହି ଟଙ୍କା କେଉଁଠୁ ଆସିଛି ପଚାରିବାରେ ଶ୍ରୀ ଦାଶ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଭିଜିଲାନ୍‌ସ ଟିମ୍‌ ତାଙ୍କୁ କାବୁ କରି ଭୁବନେଶ୍ୱର ଭିଜିଲାନ୍‌ସ କାର୍ଯ୍ୟାଳୟକୁ ନେଇଯାଇଥିଲା। ସେଠାରେ ପଚରାଉଚରା ପରେ ଅନ୍ୟ ଏକ ଭିଜିଲାନ୍‌ସ ଟିମ୍‌ ଶ୍ରୀ ଦାଶଙ୍କ ସିଆର୍‌ପିସ୍ଥିତ କ୍ୱାର୍ଟର୍ସରେ ଚଢ଼ଉ କରିଛି। ସେହିପରି ଶ୍ରୀ ଦାଶ ଭୁବନେଶ୍ୱରରେ ନିଜ ନାଁରେ କିଣିଥିବା ଦୁଇ ଫ୍ଲାଟ୍‌ରେ ବି ଭିଜିଲାନ୍‌ସ ଟିମ୍‌ ଚଢ଼ଉ କରିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଭିଜିଲାନ୍‌ସ ଚଢ଼ଉ ଜାରି ରହିଥିବା ଜଣାପଡ଼ିଛି।

ଭିଜିଲାନ୍ସ ଦେଇଥିବା ସୂଚନା ଅନୁଯାୟୀ ଶ୍ରୀ ଦାଶ ବିଭିନ୍ନ ଠିକାଦାରଙ୍କଠାରୁ ପିସି ଆଦାୟ କରୁଥିବା ଏବଂ ଭୁବନେଶ୍ୱର ଆଡକୁ ଆସୁଥିବା ଖବର ମିଳିଥିଲା। ସେହି ଅନୁଯାୟୀ ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନର ଅଧିକାରୀ ରାତି ପ୍ରାୟ ୮ଟା ୫୦ ବେଳକୁ ପିପିଲି ଟୋଲ୍‌ ଗେଟ୍‌ ନିକଟରେ ଶ୍ରୀ ଦାଶ ଆସୁଥିବା ବୋଲେରୋ (ଓଡି ୧୩ ଏଚ୍‌ ୫୭୫୬)କୁ ଠାବ କରିଥିଲେ। ସେଠାରେ ସାକ୍ଷୀଙ୍କ ଉପସ୍ଥିତିରେ ବୋଲେରୋ ଯାଞ୍ଚ କରାଯିବା ବେଳେ ୩ ଲକ୍ଷ ୨୮ ହଜାର ୫ଶହ ଟଙ୍କା ବାହାରିଥିଲା।

ସମ୍ବନ୍ଧିତ ଖବର