ଡେଲାଙ୍ଗ : ଡାକଘରେ ନକଲି କର୍ମଚାରୀଙ୍କ ଦ୍ୱାରା ଜମା ଟଙ୍କା ହଡ଼ପ୍। ଏଭଳି ଅଭିଯୋଗ ଆସିଛି ଡେଲାଙ୍ଗ ଅଞ୍ଚଳରୁ। ସ୍ଥାନୀୟ ବେରୋବୋଇ ସବ୍ ପୋଷ୍ଟ୍ ଅଫିସରେ ଏଭଳି ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ବର୍ଷ ବର୍ଷ ଧରି ଦୁଇ ଜଣ ବ୍ୟକ୍ତି ଏହି ଡାକଘରେ କର୍ମଚାରୀ ଭଳି କାମ କରିବା ସହ ଲୋକଙ୍କୁ ଭୂଆଁ ବୁଲାଇ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଚଳୁ କରିଥିବା ଜଣାପଡ଼ିଛି। ଜମାକାରୀମାନେ ଏ ନେଇ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଅଭିଯୋଗରୁ ପ୍ରକାଶ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ପ୍ରହରାଜପୁର ଗ୍ରାମର ଆଲୋକ ମହାପାତ୍ର ଓ ସୁରେଖା ଦାସ ବେରବୋଇ ସବ୍ ପେଷ୍ଟ୍ ଅଫିସରେ କାର୍ଯ୍ୟକରିବା ସହ ବିଲ୍ କଲେକସନ୍, ଲୋକମାନଙ୍କର କାଗଜପତ୍ର କାମ ଆଦି କରୁଥିଲେ। ଲୋକଙ୍କଠାରୁ ସେମାନେ ମିଆଦୀ ଜମା ପାଇଁ ବି ଟଙ୍କା ସଂଗ୍ରହ କରୁଥିଲେ। ତେବେ ଲୋକଙ୍କ ବିଶ୍ୱାସରେ ବିଷ ଦେବା ଭଳି ସେମାନେ ଜମାକାରୀଙ୍କୁ ନକଲି ଚିଠା ଦେଇ ଏହି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। କିଛି ଜମାକାରୀ ନିଜର ମିଆଦୀ ଜମା ଟଙ୍କା ଉଠାଇବାକୁ ଯିବାବେଳେ ଏଭଳି ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଛନ୍ତି। ଏବେ ଆଲୋକ ଓ ସୁରେଖା ଫେରାର ଅଛନ୍ତି।
ଅଭିଯୋଗ ପାଇ ପିପିଲି ପୋଷ୍ଟାଲ ଇନ୍ସ୍ପେକ୍ଟର ପ୍ରଣବ ମିଶ୍ର ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଠକେଇ ସଂପର୍କରେ କିଛି ସ୍ପଷ୍ଟ କରି ନାହାନ୍ତି। ଅନ୍ୟପକ୍ଷରେ ଏ ନେଇ ପୋଷ୍ଟ ମାଷ୍ଟର୍ ଦୁର୍ଗା ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ଏଭଳି କୌଣସି ଅଭିଯୋଗ ହସ୍ତଗତ ହୋଇ ନାହିଁ ବୋଲି ପୁରୀ ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ ସଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି।