ପୁରୀ: ‘ହସ୍ତଶିଳ୍ପ’ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ପୁରୀ: ଟାଉନ ଥାନା ଅନ୍ତର୍ଗତ ବାଲିସାହିସ୍ଥିତ ଏକ ‘ହସ୍ତଶିଳ୍ପ’ ଗୋଦାମରେ ଗୁରୁବାର ମଧ୍ୟାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ମିଳିଥିବା ସୂଚନା ଅନୁସାରେ ଭଡ଼ାଘରେ ପରିଚାଳିତ ହେଉଥିବା ଏହି ଗୋଦାମରେ ଆଜି ଅପରାହ୍ନ ୩ଟାରେ ଅଗ୍ନିକାଣ୍ଡ ହୋଇଛି। ଅଳ୍ପ କିଛି ସମୟରେ ଗୋଦାମରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଛି।

ବନ୍ଦ ଥିବା ଗୋଦାମରେ ନିଅାଁ ଲାଗିବା ପରେ ରାସ୍ତାରେ ଯାଉଥିବା କିଛି ଲୋକ ଏହାକୁ ପ୍ରଥମେ ଦେଖିଥିଲେ। ସେମାନେ ଅଗ୍ନିସମ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ଏହା ପରେ ଅଗ୍ନିସମ କର୍ମଚାରୀମାନେ ୩ଟି ଗାଡ଼ିରେ ପହଞ୍ଚି ନିଅାଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏହା ପୂର୍ବରୁ ବହୁ ସାମଗ୍ରୀ ପୋଡ଼ି ଯାଇଥିଲା।

ଘର ମାଲିକ ସର୍ବେଶ୍ୱର ହୋତାଙ୍କ ଠାରୁ ଭଡ଼ା ସୂତ୍ରରେ ନେଇ ଗୁରୁ ଚରଣ ଦାଶ ଏଠାରେ ହସ୍ତଶିଳ୍ପ ଗୋଦାମ କରିଥିଲେ। ଏଠାରେ ସେ ବହୁ ଫଟୋ ଫ୍ରେମ୍‌ ରଖିଥିଲେ। ସେ କହିଛନ୍ତି ଅଗ୍ନିକାଣ୍ଡ ଯୋଗୁଁ ତାଙ୍କର ୫୦ ଲକ୍ଷ ଟଙ୍କାର ଜିନିଷ କ୍ଷତି ହୋଇଛି। ଅଗ୍ନିସମ ଅଧିକାରୀ ନିର୍ମଳ ସିଂହ କହିଛନ୍ତି, ପ୍ରାୟ ୧୦ ଲକ୍ଷ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି।

ସମ୍ବନ୍ଧିତ ଖବର