ପୁରୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ପୁଲିସ ଉପସ୍ଥିତିରେ ହଣାକଟା, ୩ ଆହତ

ପୁରୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାଶେଳି ସାହି ଥାନା ଅନ୍ତର୍ଗତ ଗୋଖା ସାହିରେ ସୋମବାର ଗୋଷ୍ଠୀ ସଂଘର୍ଷ ହୋଇଛି। ପୁଲିସ ଉପସ୍ଥିତିରେ ୨ଟି ଗୋଷ୍ଠୀ ମଧ୍ୟରେ ଝଗଡ଼ା ଭୟାନକ ରୂପ ନେଇଛି। ହଣାକଟା ଓ ଫାଙ୍କା ଗୁଳିଚାଳନା ହୋଇଥିବା ଜଣାପଡ଼ିଛି। ହଣାକଟାରେ ୩ ଜଣ ଆହତ ହେବା ପରେ ସେମାନଙ୍କୁ ପୁରୀ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହତମାନେ ହେଲେ ବାଶେଳି ସାହିର ସୁବାଷ ବେହେରୋ, ଗଦାଧର ବେହେରା ଓ ପ୍ରଳୟ ବେହେରା। ଉତ୍ତେଜିତ ଲୋକେ ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରି ପୁରୀ-ବ୍ରହ୍ମଗିରିସ୍ଥିତ ବାଶେଳି ସାହି ମୁଖ୍ୟ ସଡ଼କ ପ୍ରତିରୋଧ କରିଛନ୍ତି। ସେମାନେ ପୋଡ଼ାଜଳା କରିବାରୁ ଯାତାୟତ ପ୍ରଭାବିତ ହୋଇଛି। ରାସ୍ତାର ଉଭୟ ଦିଗରେ ଶହ ଶହ ଯାନବାହାନ ଅଟକିଯାଇଛି।

ରିପୋର୍ଟ ଅନୁସାରେ ଗୋଖାସାହି ନିବାସିନୀ ପୂର୍ବତନ କାଉନସିଲର ସତ୍ୟଭାମା ବେହେରାଙ୍କ ପରିବାରକୁ ସାହି ବାସିନ୍ଦାମାନେ କିଛି ଦିନ ହେବ ଏକଘରକିଆ କରି ଦେଇଥିଲେ। ଆଜି ସାହିବାସୀଙ୍କ ଏକ ବୈଠକ ଚାଲିଥିବା ବେଳେ ସତ୍ୟଭାମାଙ୍କ ପୁଅ ଓ ସଂପର୍କୀୟମାନେ ଘଟଣାସ୍ଥଳକୁ ପହଂଚି ଗାଳିଗୁଲଜ କରିବା ସହିତ ଫାଙ୍କା ଗୁଳିଚାଳନା କରିଥିଲେ ଓ ୩ ଜଣଙ୍କୁ ଖଣ୍ଡାରେ ହାଣିଥିଲେ। ଏହା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପୁଲିସ ସୂଚନା ପାଇ ଘଟଣାସ୍ଥଳକୁ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଅନ୍ୟପଟରେ ସାହିବାସିନ୍ଦାମାନେ ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରି ରାସ୍ତା ଅବରୋଧ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣା ସହିତ ଜଡ଼ିତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ୨ ପ୍ଲାଟୁନ ପୁଲିସ ମୁତୟନ କରିଛି। ଉତ୍ତେଜନାପୂର୍ଣ୍ଣ ସ୍ଥଳ ଉପରେ ବରିଷ୍ଠ ପୁଲିସ ଅଧିକାରୀମାନେ ନଜର ରଖିଛନ୍ତି।

 

ସମ୍ବନ୍ଧିତ ଖବର