ପୁରୀରେ ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ: ୫ ଗୁରୁତର, ୪୦ ଗିରଫ

ପୁରୀ: ବାସେଲିସାହି ଥାନା ଅନ୍ତର୍ଗତ ହରିଜନ ସାହିରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି। ସୂଚନା ଅନୁସାରେ ଗୋଖାସାହି ଓ ହରିଜନସାହି ଲୋକମାନଙ୍କ ମଧ୍ୟରେ କୌଣସି ଏକ ଯୁକ୍ତିତର୍କକୁ ନେଇ ବିବାଦ ବଢ଼ିବାରୁ ପରିସ୍ଥିତି ଉତ୍ତେଜନାର ରୂପ ନେଇଛି। ଗୋଷ୍ଠୀ ସଂଘର୍ଷରେ ୫ ଜଣ ଗୁରୁତର ହେବା ପରେ ସେମାନଙ୍କୁ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାର ଗୋଖାସାହିର ଦିପକ ବେହେରା ନାମରେ ଜଣେ ଯୁବକ ଆଜି ସନ୍ଧ୍ୟା ୬ଟାରେ ହରିଜନସାହିକୁ ବ୍ୟକ୍ତିଗତ କାମରେ ଯାଇଥିଲେ। ସେଠାରେ ହରିଜନସାହିର କିଛି ଯୁବକମାନେ ଦିପକଙ୍କ ସହିତ ଯୁକ୍ତିତର୍କ କରିଥିଲେ। ପରେ ଏହା ଆକ୍ରମଣର ରୂପ ନେଇଥିଲା। ହରିଜନସାହିର ଯୁବକମାନେ ଦୀପକଙ୍କୁ ନିସ୍ତୁକ ମାଡ଼ ମାରି ରକ୍ତାକ୍ତ କରିଦେଇଥିଲେ।

ଗୋଖସାହିର ଲୋକେ ଘଟଣା ସଂପର୍କରେ ଅବଗତ ହେବା ପରେ ହରିଜନ ସାହିକୁ ଯାଇଥିଲେ। ସେମାନେ ହରିଜନସାହି ଉପରକୁ ଢେଲା-ପଥର ମାଡ଼ କରିଥିଲେ। ଏହାକୁ ବିରୋଧ କରିବାରୁ ୨ ଗୋଷ୍ଠୀ ମଧ୍ୟରେ ପ୍ରବଳ ମାଡ଼ ହୋଇଛି।

ଖବର ପାଇଁ ବାସେଲିସାହି ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି। ଆକ୍ରମଣର ଶିକାର ହୋଇଥିବା ୫ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ୪୦ ଜଣଙ୍କୁ ଗିରଫ କରିଛି। ହରିଜନସାହି ଓ ବାଲିସାହିରେ ଉତ୍ତେଜନା ସୃଷ୍ଟି ହୋଇଥିବାରୁ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର