ପୁରୀରେ ବିଦେଶିନୀଙ୍କୁ ଦୁର୍ବ୍ୟବହାର

ହୋଟେଲ ମ୍ୟାନେଜର୍‌ ଅଟକ

ପୁରୀ : ପୁରୀର ଏକ ହୋଟେଲରେ ଜଣେ ଇଟାଲୀୟ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ଏହି ବିଦେଶିନୀଜଣକ ଅନ୍‌ଲାଇନ୍‌ରେ ରୁମ୍‌ ବୁକିଂ କରି ସଂପୃକ୍ତ ହୋଟେଲକୁ ଆସିଥିଲେ ବି ତାଙ୍କୁ ରୁମ୍‌ ଦିଆନଯିବା ଏବଂ ଓଲଟି ଦୁର୍ବ୍ୟବହାର ପ୍ରଦର୍ଶନ କରି ତାଙ୍କ ଜିନିଷପତ୍ର ରଖି ରୁମ୍‌ରେ ତାଲା ପକାଇଦେବା ଭଳି ଅଭିଯୋଗ ଆସିଛି। ଏ ନେଇ ସେ ବଳିଆପଣ୍ଡା ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ହୋଟେଲ ପରିଚାଳକ ହେମନ୍ତ ଭଞ୍ଜଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

ପୁଲିସ ସୂଚନା ଅନୁସାରେ ଇଟାଲୀର ଫିଓରେଲା ବିଜାରୋ ନାମ୍ନୀ ଏହି ମହିଳା ପୁରୀ ଆସିବାକୁ ଯୋଜନା କରି ଅନ୍‌ଲାଇନ୍‌ରେ ରୁମ୍‌ ବୁକ୍‌ କରିଥିଲେ। ବୁକିଂ ଡଟ୍‌ କମ୍‌ ନାମକ ଏକ ଅନ୍‌ଲାଇନ୍‌ ହୋଟେଲ ବୁକିଂ ୱେବ୍‌ସାଇଟ୍‌ ଜରିଆରେ ବଳିଆପଣ୍ଡା ଗାନ୍ଧୀ ଲେବର ଫାଉଣ୍ଡେସନ ଲେନ୍‌ରେ ଥିବା କ୍ରିଷ୍ଣା ରେସିଡେନ୍‌ସିରେ ରୁମ୍‌ ବୁକ୍‌ କରିଥିଲେ। ୭ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ହୋଟେଲରେ ରହିବା ପାଇଁ ୨୪୫୦ ଟଙ୍କା ଅନ୍‌ଲାଇନ୍‌ରେ ଜମା କରିଥିଲେ। ଟଙ୍କା ଜମା ହେବା ପରେ ତାଙ୍କୁ କନ୍‌ଫର୍ମେସନ ବି ଆସିଥିଲା। ୭ ତାରିଖ ରାତି ୯ଟାରୁ ୧୨ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ବୁକିଂ ବୈଧ ଥିବା ତାଙ୍କୁ ଅନ୍‌ଲାଇନ୍‌ ଜରିଆରେ ଅବଗତ କରାଯାଇଥିଲା।

ସେ ଗତକାଲି ରାତି ପ୍ରାୟ ୮ଟା ବେଳେ ସଂପୃକ୍ତ ହୋଟେଲରେ ପହଞ୍ଚିଥିଲେ। ହେଲେ ତାଙ୍କ ନାମରେ ଏଠାରେ ବୁକିଂ ନ ଥିଲା। ସେ ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ମୁଖ୍ୟ ପରିଚାଳକଙ୍କୁ ତାଙ୍କର କନ୍‌ଫର୍ମେସନ ଦେଖାଇଥିଲେ। ହେଲେ ହୋଟେଲ ପରିଚାଳକଙ୍କ ପାଖକୁ ଏ ବାବଦରେ କୌଣସି ସୂଚନା ଆସିନଥିବାରୁ ତାଙ୍କୁ ରୁମ୍‌ ଦେବାକୁ ଅସମର୍ଥ ହୋଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ତାଙ୍କ ଜିନିଷପତ୍ର ରଖିବା ପାଇଁ ସେ ଏକ ରୁମ୍‌ ମାଗିଥିଲେ। ତାଙ୍କୁ ୨୦୩ ନମ୍ବର ରୁମ୍‌ ଜିନିଷପତ୍ର ରଖିବାକୁ ଦିଆଯାଇଥିଲା। ଏଠାରେ ସେ ଜିନିଷପତ୍ର ରଖି ଥାନାକୁ ଯାଇଥିଲେ। ଥାନାରୁ ଆସିବା ପରେ ସେ ଜିନିଷ ରଖିଥିବା ରୁମ୍‌ରେ ଚେନ୍‌ ସାହାଯ୍ୟରେ ଆଉ ଏକ ତାଲା ପଡ଼ିଥିବା ଦେଖିଥିଲେ। ଫଳରେ ସେ ତାଙ୍କ ଜିନିଷପତ୍ର ମଧ୍ୟ ଆଣି ପାରିନଥିଲେ। ଏଣୁ ପୁଣି ଥରେ ଥାନାକୁ ଯାଇଥିଲେ। ଦୁଇ ଦୁଇ ଥର ଥାନାକୁ ଯିବା ପରେ ବଳିଆପଣ୍ଡା ପୁଲିସ୍‌ ପରିଚାଳକ ହେମନ୍ତଙ୍କୁ ଥାନାକୁ ଡାକି ଅଟକ ରଖିଥିଲା।

ଏ ନେଇ ହେମନ୍ତ କହିଛନ୍ତି ବୁକିଂ ଡଟ୍‌ କମ୍‌ ଅଧୀନରେ ଆମ ହୋଟେଲ ପଞ୍ଜୀକୃତ ଥିଲା। ହେଲେ ୪ ମାସ ହେଲା ଆମେ ଏହି ସାଇଟ୍‌ରୁ ଓହରି ଆସିଛୁ। ତେବେ ଅନ୍‌ଲାଇନ୍‌ରେ ଦେଖା ଯାଉଥିବାରୁ ବୁକିଂ ହୋଇଯାଉଛି। ଅବଶ୍ୟ ଏହି ପଇସା ବ୍ୟର୍ଥ ଯିବ ନାହିଁ। ଏହାକୁ ଓୟୋକୁ ପରିବର୍ତ୍ତନ କରିଦେଲେ ଆମେ ରୁମ୍‌ ଦେଇପାରିବୁ ବା ପଇସା ପାଇପାରିବୁ। ଆମେ ତାଙ୍କୁ ଏହି କଥା ବୁଝାଇବାକୁ ଚେଷ୍ଟା କରୁଥିଲୁ। ହେଲେ ସେ ବୁଝିନଥିଲେ। ରୁମ୍‌ ଛାଡ଼ି ଚାଲି ଯାଇଥିବାରୁ କାଳେ କିଏ ପଶିଯିବ ସେଥିପାଇଁ ଆମେ ତାଲା ପକାଇ ଦେଇଥିଲୁ। ବିଳମ୍ବିତ ରାତ୍ରି ହୋଇଥିବାରୁ ତାଲା ଖୋଲିବାରେ ବିଳମ୍ବ ପାଇଁ ସେ ବିରକ୍ତ ହୋଇଥିଲେ। ସେଥିପାଇଁ ସେ କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ ବୋଲି କହିଛନ୍ତି। ଭାରପ୍ରାପ୍ତ ଥାନାଧିକାରୀ ଦେବାଶିଷ ମିଶ୍ର କହିଛନ୍ତି, ଅଭିଯୋଗ ସତ୍ୟ ଯେ ସେ ଅନ୍‌ଲାଇନ୍‌ ବୁକିଂ କରି ରୁମ୍‌ ପାଇନାହାନ୍ତି। ଏଠାରେ ପହଂଚି ହତାଶ ହେବା ସହ ଦୀର୍ଘ ସମୟ ଧରି ରୁମ୍‌ ନ ପାଇ ନିରାଶ ହୋଇଛନ୍ତି। ଆମେ ଅଭିଯୋଗକୁ ଗ୍ରହଣ କରିଛୁ। ପରିଚାଳକଙ୍କୁ ମଧ୍ୟ ଅଟକ ରଖିଛୁ। ସେ ତାଙ୍କୁ ଆଉ ଏକ ରୁମ୍‌ ଦେଇଛନ୍ତି। ପଇସା କିଭଳି ଫେରିପାଇବେ ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି। ଯଦି ବୁଝାମଣା ହୋଇଯାଏ ତେବେ ମାମଲା ହେବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର