ବିଜେଡି ଛାଡ଼ିଲେ ରମାରଞ୍ଜନ ବଳିୟାରସିଂହ

ପୁରୀ :ବିଜେଡି ଛାଡ଼ିଛନ୍ତି ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ। ବିଧିବଦ୍ଧ ଭାବେ ସେ ତାଙ୍କର ଏହି ତ୍ୟାଗପତ୍ର ପ୍ରଦାନ କରିଛନ୍ତି। ଏଥିସହିତ ସତ୍ୟବାଦୀ ରାଜନୀତି ସରଗରମ ହୋଇଛି। ବର୍ତ୍ତମାନର ବିଧାୟକ ଉମାକାନ୍ତ ସାମନ୍ତରାୟ ସ୍ୱାଧୀନ ଭାବେ ବିଜୟ ଲାଭ କରିଥିଲେ। ପରେ କିନ୍ତୁ ବିଜେଡି ତାଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇ ନେଇଥିଲା। ଏହା ପରେ ଗତ କିଛି ମାସ ଧରି ରମା-ଉମା ବିବାଦ ଉଗ୍ରରୂପ ନେଇଥିଲା। ଏବେ ରମା ବିଧିବଦ୍ଧ ଭାବେ ବିଜେଡି ପରିତ୍ୟାଗ କରିଛନ୍ତି। ଆସନ୍ତା ୨୦ ତାରିଖରେ ସେ ବିଜେପିରେ ଯୋଗ ଦେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ରମାରଞ୍ଜନ ଦଳ ଛାଡ଼ିବା ଘଟଣା ବିଜେଡିରେ କୌଣସି ପ୍ରଭାବ ରଖିବ ନାହିଁ ଓ ସେ ଅଦରକାରୀ ହୋଇ ଯାଇଥିଲେ ବୋଲି ବିଧାୟକ କହିଛନ୍ତି। ଅନ୍ୟପଟେ ରମା ବିଜେପିରେ ଯୋଗଦେବା ନେଇ ସମ୍ଭାବନା ଦୃଢ଼ ହେବା ପରେ ବିଜେପି କରିଡ଼ରରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। କାରଣ ଗତ ନିର୍ବାଚନରେ ସ୍ୱାଧୀନ ଭାବରେ ଲଢ଼ିଥିବା ଓମ୍‍ପ୍ରକାଶ ମିଶ୍ର ଏବେ ବିଜେପିରେ ଯୋଗଦାନ କରି ସକ୍ରିୟ ରାଜନୀତିରେ ରହିଛନ୍ତି। ବିଶ୍ୱନାଥ ରଥ ମଧ୍ୟ ପୂର୍ବରୁ ଏହି ଦୌଡ଼ରେ ରହିଛନ୍ତି। ଏବେ ରମାରଞ୍ଜନ ଯଦି ଯୋଗ ଦିଅନ୍ତି ତେବେ ନିଶ୍ଚିତ ଭାବେ ଟିକେଟ ହାତେଇବେ। ଫଳରେ ଏହି ନେତାମାନେ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର