ପୁରୀ : ବର ବେଶରେ ବାହାହେବାକୁ ଯାଉଥିବା ବେଳେ ବରକୁ ଉଠାଇ ଆଣିଲା ପୁଲିସ। ଏଭଳି ଏକ ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ କାହଳ ନାନକରା ସାହିରେ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଜି ରାତି ୧୦ଟା ୩୦ ମିନିଟ୍‌ରେ ଏହି ଘଟଣା ଘଟିଛି। ଜଣକୁ ଭଲ ପାଇ ଅନ୍ୟ ଜଣକୁ ବିବାହ କରିବାକୁ ବର ବେଶରେ ଯାଉଥିବା ବେଳେ ଅସ୍ତରଙ୍ଗ ପୁଲିସ କୋଣାର୍କର ଚିତ୍ରେସ୍ୱରୀ ଅଞ୍ଚଳରୁ ଉଠାଇ ଆଣିଛି। ଏବେ ବିବାହ ଫସର ଫାଟି ହାଜତ ଭିତରେ ରାତି କଟୁଛି ବର।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବର ବେଶରେ ବିବାହ କରିବାକୁ ଯାଉଥିବା ଅସ୍ତରଙ୍ଗ ଥାନା ଅନ୍ତର୍ଗତ କାହଳ ନାନକରା ସାହିର ହାପି କାଣ୍ଡି ପୂର୍ବରୁ ଜଣେ ନାବାଳିକାକୁ ପ୍ରେମକରି ସମ୍ପର୍କ ରଖିବା ପରେ ଧରାପଡ଼ିବାରୁ ଥାନା ପର୍ଯ୍ୟନ୍ତ କଥା ଯାଇଥିଲା। ଉଭୟ ପରିବାର ଥାନାରେ ପହଞ୍ଚି ଏକ ଆପୋଷ ସମାଧାନ କରିବା ସହ ଝିଅକୁ ୧୮ ବର୍ଷ ନ ହେବା ଯାଏ ବାପଘରେ ରହିବ ଓ ପରବର୍ତ୍ତୀ ପର୍ଯ୍ୟାୟରେ ବିବାହ ପାଇଁ ପ୍ରତିଶ୍ରୁତି ବି ମଳିଥିଲା। ଉଭୟ ପରିବାର ତରଫରୁ ଗତ ୧୭ ତାରିଖ ଫେବୃଆରିରେ ୨୦୧୮ରେ ବିବାହ ପାଇଁ ସହମତି ରହିଥିବା ଏଗ୍ରିମେଣ୍ଟରେ ଜଣାଯାଏ। କିନ୍ତୁ ଯୁବକ ହାପି କାଣ୍ଡି ସବୁ ପ୍ରତିଶ୍ରୁତିକୁ ଭୁଲି ଅନ୍ୟତ୍ର ବିବାହ କରିବାକୁ ଯାଉଥିବା ବେଳେ ତାଙ୍କୁ ଏବେ ମହଙ୍ଗା ପଡିଛି। ଠିକ୍‌ ଏହି ସମୟରେ ଝିଅଘର ତରଫରୁ ପୁଲିସକୁ ସୂଚନା ଦେବାରୁ, ଅସ୍ତରଙ୍ଗ ପୁଲିସ କାଳବିଳମ୍ବ ନ କରି ଗୁରୁବାର ରାତି ୧୦.୩୦ରେ ହାପି କାଣ୍ଡିକୁ କୋଣାର୍କର ଚିତ୍ରେଶ୍ୱରୀ ଅଞ୍ଚଳରୁ ଗିରଫ କରିଥିବା ଆଇଆଇସି ରଞ୍ଜନ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।