ସଂଘବଦ୍ଧ ଆକ୍ରମଣ, ୩ ଯୁବକ ଗିରଫ

ପୁରୀ: ସମୁଦ୍ରକୂଳରେ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ତିନି ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତକାଲି ବାଲିସାହି ଦଳିତ ବସ୍ତିର ଶିବ ନାୟକ ସମୁଦ୍ରକୂଳରେ ବସିଥିଲେ। ଏହି ସମୟରେ ବାଲିନୋଳିଆ ସାହି ମହୋଦଧି ଗଳିର ବଳରାମ ରାଓ (୨୦), କାଳିଆ ରାଓ (୧୮) ଏବଂ କେ. କାମରାଜୁ (୨୦) ପହଞ୍ଚି ଶିବଙ୍କୁ ଏଠାରେ କାହିଁକି ବସିଛୁ କହି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଠେଲାପେଲା କରିଥିଲେ। ଏହି ତିନି ଜଣଙ୍କ କବଳରୁ ଶିବ ଖସିଯିବାକୁ ଉଦ୍ୟମ କରିବା ବେଳେ ସେମାନେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏହି ସମୟରେ ସେଠାରେ ଡ୍ୟୁଟି କରୁଥିବା ହୋମଗାର୍ଡ ଆସି ଯୁବକମାନଙ୍କୁ ଘଉଡ଼ାଇଥିଲେ। ମାତ୍ର ବଳରାମ, କାଳିଆ ଓ କାମରାଜୁ ମିଶି ପଥରରେ ଆକ୍ରମଣ କରିବାରୁ ଶିବ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଉଭୟ ସାହି ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ସମସ୍ତ ଥାନା ଆଇଆଇସିମାନଙ୍କ ସହିତ ସିଟି ଡିଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ବଳରାମ, କାଳିଆ ଓ କାମରାଜୁକୁ ଗିରଫ କରି ଥାନାକୁ ନେଇ ଆସିଥିଲେ। ଏହି ଘଟଣାରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର