ଆଲବମ୍‌ ଅଭିନେତ୍ରୀଙ୍କୁ ନିର୍ଯାତନା: ବିଲଡର୍‌ ଅଟକ

ପୁରୀ : ଜଣେ ଆଲବମ୍‌ ହିରୋଇନଙ୍କ ସହ ପ୍ରେମ ପ୍ରତାରଣା ପରେ ତାଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଟାଉନଥାନା ପୁଲିସ ସହରର ଫର୍ଣ୍ଣିଚର ସୋରୁମ୍‌ ମାଲିକ ତଥା ବିଲଡରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ଅଭିଯୋଗ ଅନୁଯାୟୀ, ପୁରୀ ରାଜଧାନୀ ଫର୍ଣ୍ଣିଚର ସୋରୁମ୍‌ର ମାଲିକ ତଥା ବିଲ୍‌ଡର ବିରାଟ ମହାପାତ୍ରଙ୍କର ଜଣେ ବଙ୍ଗୀୟ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଓଡ଼ିଆ ଆଲବମ୍‌ ଅଭିନେତ୍ରୀ ଶ୍ୱେତା ଖାତୁନଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା। ତେବେ ବର୍ଷକ ପୂର୍ବେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହା କ୍ରମଶଃ ଘନୀଭୂତ ହେବାରୁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଶ୍ୱେତା ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଗତ କାଲି ସକାଳ ୫ଟାରେ ଶ୍ୱେତା ପୁରୀରେ ପହଂଚି ବିରାଟ ରହୁଥିବା ଟାଉନ ଥାନା ଅନ୍ତର୍ଗତ ନିର୍ମାଲ୍ୟ ଆପାର୍ଟମେଣ୍ଟକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ବିରାଟଙ୍କ ପତ୍ନୀ ଏନେଇ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ କରିଥିଲେ। ପୁଲିସ ପହଞ୍ଚିବା ପରେ ଶ୍ୱେତା ନିଜକୁ ବିରାଟଙ୍କ ଦ୍ଵିତୀୟ ପତ୍ନୀ ଦର୍ଶାଇବାରୁ ଏହା ପାରିବାରିକ କଳହ ବୋଲି କହି ପୁଲିସ ସେଠାରୁ ଚାଲିଆସିଥିଲା।

ଏହାପରେ ଉଭୟଙ୍କ ମଧ୍ୟରେ ପୁଣି ପାଟିତୁଣ୍ଡ ହେବାରୁ ଶ୍ୱେତାଙ୍କୁ ବିରାଟ ନେଇ ଏକ ହୋଟେଲରେ ରଖାଇଥିଲେ। ସନ୍ଧ୍ୟାରେ ବିରାଟ ତାଙ୍କୁ ହୋଟେଲରୁ ଡାକି ନେଇ ଭୁବନେଶ୍ୱର ଆଡ଼କୁ ଯାଉଥିଲେ। ମାତ୍ର ଶ୍ୱେତା ନିଜ ସୁରକ୍ଷା ଚିନ୍ତା କରି ଯାଯାବର ହୋଟେଲ ନିକଟରେ ଗାଡ଼ିରୁ ଓହ୍ଲାଇ ଚିତ୍କାର କରିବାରୁ ସେଠାରେ ସତ୍ୟବାଦୀ ଥାନା ପୁଲିସ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇଯାଇଥିଲେ। ପରେ ସେଠାରୁ ଉଭୟଙ୍କୁ ଚନ୍ଦନପୁର ଥାନାକୁ ପଠାଇ ଦେଇଥିଲେ। ଚନ୍ଦନପୁର ଥାନା ପୁଲିସ ଏମାନଙ୍କୁ ରାତି ଗୋଟାଏ ପର୍ଯ୍ୟନ୍ତ ଥାନାରେ ଅଟକ ରଖିବା ପରେ ଟାଉନ ଥାନାରେ ନେଇ ଛାଡ଼ିଦେଇଥିଲେ। ତେବେ ଟାଉନ ଥାନା ସମ୍ମୁଖରୁ ବିରାଟ କୌଶଳକ୍ରମେ ଖସିଯାଇଥିଲା ବେଳେ ପୁଲିସ ଶ୍ୱେତାଙ୍କୁ ଥାନାରେ ଅଟକ ରଖିବାକୁ ଉଦ୍ୟମ କରିଥିଲା। ଏନେଇ ସେ ଏସପି ଡା. ସାର୍ଥକ ଷଡ଼ଙ୍ଗୀଙ୍କୁ ଫୋନରେ ଅଭିଯୋଗ କରିଥିଲେ। ତେଣୁ ପୁଲିସ ବାଧ୍ୟ ହୋଇ ଶ୍ୱେତାଙ୍କୁ ନେଇ ବିରାଟ ଘରେ ଚଢ଼ଉ କରିଥିଲା। ମାତ୍ର ବିରାଟ ଘରେ ତାଲା ପକାଇ ସସ୍ତ୍ରୀକ ଫେରାର ହୋଇଯାଇଥିଲେ। ଶେଷରେ ପୁଲିସ ବିରାଟଙ୍କୁ ରାତି ସାଢ଼େ ଚାରିଟାରେ ଧରିବାରେ ସକ୍ଷମ ହୋଇଥିଲା। ଶ୍ୱେତାଙ୍କ ଅଭିଯୋଗ ବଳରେ ପୁଲିସ ଏକ ମାମଲା ରୁଜୁ କରି ବିରାଟଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର