ଛେରାପହଁରା ନୀତି ପରେ ଧଳା ଓ କଳା ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ

ପୁରୀ: ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ବିଶ୍ୱବାସୀଙ୍କୁ ଧଳା ଓ କଳା ହାତୀବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଛେରାପହଁରା କରିବା ପରେ ହାତୀବେଶରେ ସଜ୍ଜିତ ହୋଇ ଝଲସୁଛନ୍ତି ମହାପ୍ରଭୁ।

ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ହାତୀବେଶରେ ସଜ୍ଜିତ ହୁଅନ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ରହିଛି । ତାହା ହେଲା, ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ । ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା । ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ଧାରଣ କରିଥିଲେ ।

ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୂଲ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ହାତୀବେଶ ଧାରଣ କରିବେ । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ହାତୀବେଶ ଧାରଣ କରନ୍ତି ।

ଏପଟେ କରୋନା କଟକଣା ଯୋଗୁଁ ବିନା ଭକ୍ତ ସମାଗମରେ ଶ୍ରୀଜୀଉଙ୍କ ସ୍ୱାନ ଯାତ୍ରା ଅନୁଷ୍ଠିତ ହେଉଛି । ତେବେ ସାଂପ୍ରତିକ ଇତିହାସରେ ବିନା ଭକ୍ତରେ ଶ୍ରୀଜୀଉଙ୍କ ସ୍ନାନ ପୂର୍ଣ୍ଣିମା ହେବା ଏକ ବିରଳ ଘଟଣା।

ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା ଦେଖିବା ପାଇଁ ଭକ୍ତମାନେ କାହିଁ କେତେ ଦିନରୁ ଅପେକ୍ଷା କରି ରହିଥାଆନ୍ତି। କିନ୍ତୁ ଚଳିତ ଥର ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବାରୁ ଭକ୍ତମାନେ ବଞ୍ଚିତ ହୋଇଥିବାରୁ କେଉଁଠି ନା କେଉଁଠି ସେମାନଙ୍କ ମନରେ ଦୁଃଖ ଭରି ରହିଛି। କିନ୍ତୁ ଟେଲିଭିଜନ୍‌ ମାଧ୍ୟରେ ଶ୍ରୀଜୀଉଙ୍କ ପ୍ରତିଟି ନୀତିକୁ ଭକ୍ତ ସିଧାସଳଖ ଦେଖିବାର ସୌଭାଗ୍ୟ ପାଇଛନ୍ତି।

ସମ୍ବନ୍ଧିତ ଖବର