ପୁରୀ/ସାକ୍ଷୀଗୋପାଳ : ଗୁଳିମାଡ଼ରେ ଢାବା କର୍ମଚାରୀ ମୃତ

ପୁରୀ/ସାକ୍ଷୀଗୋପାଳ : ପୁରୀ ଭୁବନେଶ୍ବର ଜାତୀୟ ରାଜପଥ କଡ଼ ବଡ଼କାଞ୍ଜିଆ ଛକ ନିକଟରେ ଗତ ରବିବାର ବିଳମ୍ବିତ ରାତିରେ ଏକ ଗୁଳିକାଣ୍ଡ ଘଟିଯାଇଛି। ଏହି ଗୁଳିକାଣ୍ଡରେ ବଡ଼କାଞ୍ଜିଆ ଗ୍ରାମର ପୁରେନ୍ଦ୍ର ବେହେରା(୪୦) ମୃତ୍ୟୁବରଣ କରିଛନ୍ତି। ଏନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଶବକୁ ସଦର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଛି। ଅନ୍ୟପଟେ ପୁଲିସ ସନ୍ଦେହରେ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଆଗକୁ ନେଇଛି।

ଖବର ନେବାରେ ଜଣାପଡ଼ିଛି ଯେ, ଗତ ୮ ତାରିଖ ରାତି ପ୍ରାୟ ଗୋଟାଏ ସମୟରେ ସତ୍ୟବାଦୀ ବ୍ଲକ୍‌ ଛକ ନିକଟରେ ଥିବା ଜୟଦୁର୍ଗା ଢାବା ସମ୍ମୁଖରେ ଏକ ଧଳା ରଙ୍ଗର କାର୍‌ ପହଞ୍ଚିଥିଲା। ଏହି କାର୍‌ଟି ପୁରୀରୁ ଭୁବନେଶ୍ବର ଆଡ଼କୁ ଯାଉଥିବା ବେଳେ ଏଠାରେ ଅଟକିଥିଲା। କାର୍‌ରୁ ୫ ଜଣ ଯୁବକ ଓହ୍ଲାଇ ଏହି ଢାବାରେ ମାଂସ ଖାଇବାକୁ ଅର୍ଡର ଦେଇଥିଲେ। ମାତ୍ର କୌଣସି କାରଣକୁ ନେଇ ସେମାନେ ସେଠାରେ ନଖାଇ ଚାଲିଯାଇଥିଲେ। ସେଠାରୁ ସେମାନେ ଯାଇ ବଡ଼କାଞ୍ଜିଆ ଛକସ୍ଥିତ ଫ୍ୟାମିଲି ଢାବାରେ ବସିଥିଲେ। ଏହା ଜାଣିବା ପରେ ଜୟଦୁର୍ଗା ଢାବାର ମାଲିକ ଓ ତାଙ୍କ ଭିଣୋଇ ଏବଂ କର୍ମଚାରୀ ପୁରେନ୍ଦ୍ର ମିଶି ଫ୍ୟାମିଲି ଢାବାକୁ ଯାଇଥିଲେ। ଏଠା‌ରେ ଏହି ପାଞ୍ଚ ଜଣ କାହିଁକି ଢାବା ଛାଡ଼ି ଏଠାକୁ ଆସିଲେ ବୋଲି ପଚାରିଥିଲେ।

ଏହି ଘଟଣାକୁ କେନ୍ଦ୍ରକରି ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ପାଟିତୁଣ୍ଡ ଉଗ୍ରରୂପ ନେବାରୁ ଉକ୍ତ ପାଞ୍ଚ ଜଣ ଗ୍ରାହକଙ୍କ ମଧ୍ୟରୁ ଜଣେ ଅଣ୍ଟାରେ ଖୋସିଥିବା ଏକ ପିସ୍ତଲ ଆଣି ପୁରେନ୍ଦ୍ରଙ୍କୁ ଲକ୍ଷ୍ୟ କରି ଫାୟାରିଂ କରିବା ପରେ ସେଠାରୁ ସମସ୍ତେ ତାଙ୍କ କାରରେ ବସି ଫେରାର ହୋଇଯାଇଥିଲେ। ଗୁଳିକାଣ୍ଡ ଶବ୍ଦ ହେବାରୁ ସେଠାରେ ଥିବା ସମସ୍ତ ଲୋକମାନେ ଛତ୍ରଭଙ୍ଗ ଦେଇଥିଲେ। ଏହି ଗୁଳିକାଣ୍ଡକୁ ନେଇ ସ୍ଥାନୀୟ ଲୋକମାନେ ଉତ୍‌କ୍ଷିପ୍ତ ହୋଇ ସକାଳୁ ରାଜପଥ ଅବରୋଧ କରିଥିଲେ।

ଏନେଇ ସତ୍ୟବାଦୀ ଥାନାରେ ୬୬/୨୦୨୦ରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ପୁଲିସ ସନ୍ଦେହରେ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତିନୋଟି ଟିମ୍‌ ଗଠନ କରାଯାଇଥିବା ଏସପି ଡା. ଉମାଶଙ୍କର ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର