ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ନବୀନ ଓ ଧର୍ମେନ୍ଦ୍ର

ପିପିଲି: ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର କରିବେ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ । ଏଥିପାଇଁ ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ଏଲଇଡିର ବ୍ୟବସ୍ଥା ହେବ । କେଉଁ ତାରିଖରେ ପ୍ରଚାର କରିବେ ତାହା ଆଜି ସନ୍ଧ୍ୟାରେ ଚୂଡ଼ାନ୍ତ ହେବ । ଏଥିସହ ବିଜେଡି ୩୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବ ବୋଲି ଦାବି କରିଛନ୍ତି ବିଧାୟକ ଉମାକାନ୍ତ ସାମନ୍ତରାୟ ।

ସେହିପରି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପିପିଲିରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ୧୩ ତାରିଖରେ ଧର୍ମେନ୍ଦ୍ର ପ୍ରଚାର ଆରମ୍ଭ କରିବେ । ତାଙ୍କର ସାଧାରଣ ସଭାରେ ଉଦବୋଧନ ଦେବା ସହ ଶୋଭାଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ବିଜେପିର ଆଉ କିଛି କେନ୍ଦ୍ରୀୟ ନେତା ପିପିଲି ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ୮ତାରିଖରୁ ପିପିଲି-ଡେଲାଙ୍ଗ ଅଂଚଳରେ ଜୋନାଲ ରାଲି କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଆଜି ଅଚାନକ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଡେଲାଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଖବର ପାଇବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଡେଲାଙ୍ଗ ଯାଇ ହସ୍ପିଟାଲରେ ଅଜିତ୍ ମଙ୍ଗରାଜଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର