ପୁରୀ: ଆଜି ହେଉଛି ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିର ଆଜି ଚଳଚଞ୍ଚଳ ହୋଇପଡ଼ିଛି। ଏଠାରେ ହଜାର ହଜାର ଭକ୍ତଙ୍କ ସମାଗମ ହେବାର ଆକଳନ କରାଯାଇଛି।
ଆଜି ସକାଳୁ ବାବା ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ କାନ୍ଧିଆ ପରିବାରର ସେବକମାନେ ପାଣି ଉଝାଳିଥିବା ବେଳେ ଯୋଗାଣିଆ ସେବକମାନେ ପ୍ରଭୁଙ୍କ ଗମ୍ଭୀରାରୁ ପଙ୍କ ଉଦ୍ଧାର କରିଥିଲେ। ପ୍ରଭୁ ବର୍ଷ ସାରା ବେଲପତ୍ର, ଫୁଲ, ନୈବେଦ୍ୟ ଓ ଲାଗି ପାଣିରେ ବୁଡ଼ି ଧ୍ୟାନସ୍ଥ ରହିଥିବା ବେଳେ ଭକ୍ତଙ୍କ ଲାଗି ପଙ୍କୋଦ୍ଧାର କାର୍ଯ୍ୟ କରାଯାଇଥିଲା। ପ୍ରାୟ ଶହେ ପାଖାପାଖି ସେବକ ଓ ସ୍ବେଚ୍ଛାସେବୀ ନିୟୋଜିତ ହୋଇଥିଲେ। ପଙ୍କୋଦ୍ଧାର ଭଳି ଏକ ନିଆରା ପରମ୍ପରାକୁ ପ୍ରତ୍ୟକ୍ଷ କରିବା ଲାଗି ମଧ୍ୟ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଥିଲା। ଭକ୍ତମାନେ ପାର୍ବତୀ ସାଗର ପାର୍ଶ୍ବରେ ପଙ୍କୋଦ୍ଧାର କାର୍ଯ୍ୟ ଦେଖିଥିଲେ।

Advertisment

publive-image
ମନ୍ଦିର ଗମ୍ଭୀରାରୁ ପଙ୍କୋଦ୍ଧାର ପରେ ଅପୂର୍ବ ରୂପ ସଂଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ। ଏଥିସହ ପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ଆରମ୍ଭ ହୋଇଛି ଜାଗର ଯାତ୍ରା। ଅନ୍ୟ ଶୈବ ପୀଠରେ କେବଳ ଗୋଟିଏ ଦିନ ଜାଗର ଯାତ୍ରା ହେଉଥିବାବେଳେ ପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀରୁ ଆରମ୍ଭ ହୋଇଛି ଜାଗର ଯାତ୍ରା। ପ୍ରଭୁଙ୍କୁ ପ୍ରତ୍ୟକ୍ଷ ଦର୍ଶନ ବେଳେ ନିତ୍ୟ, ନବୀନ, ଅପୂର୍ବ ରୂପ ଦେଖି ବିଭୋର ହୋଇଛନ୍ତି ଶ୍ରଦ୍ଧାଳୁ।