ପୁରୀ: ମହୋଦଧିରେ ବିସର୍ଜନ ହେଲା ବାଜପେୟୀଙ୍କ ଚିତାଭସ୍ମ, ଆସନ୍ତାକାଲି ସର୍ବଦଳୀୟ ସଭା

ପୁରୀ/ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଗୁରୁବାର ସନ୍ଧ୍ୟାରେ ପୁରୀ ମହୋଦଧିରେ ବିସର୍ଜନ ହୋଇଛି। ବିଧି ଅନୁସାରେ ଶ୍ରାଦ୍ଧ ଅର୍ପଣ ଓ ପୂଜାର୍ଚ୍ଚନା କରାଯିବା ପରେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଚିତାଭସ୍ମକୁ ମହୋଦଧିରେ ବିସର୍ଜନ କରାଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ଦଳର ବରିଷ୍ଠ ନେତା ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନୂଆଦିଲ୍ଲୀ ଅଶୋକା ରୋଡ଼ଠାରେ ଅନୁଷ୍ଠିତ ଏକ ସମାରେହରେ ବୁଧବାର ଏହି ଅସ୍ଥି କଳସ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ହସ୍ତାନ୍ତର କରିଥିଲେ। ଅଟଳଙ୍କ ଅସ୍ଥି କଳସ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଏକ ଶୋଭାଯାତ୍ରାରେ ଅଣାଯାଇଥିଲା।

ଅଗଷ୍ଟ ୨୪ରେ ବାଜପେୟୀଙ୍କ ଉଦ୍ଦେଶ୍ୟରେ ରାଜଧାନୀ ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଏକ ସର୍ବଦଳୀୟ ସଭା ଅନୁଷ୍ଠିତ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଥିବା ସହିତ ବିରୋଧୀ ଦଳ ନେତା ଓ ଅନ୍ୟ ମନ୍ତ୍ରୀ, ବିଧାୟକ ଓ ସାଂସଦମାନଙ୍କୁ ନିମନ୍ତ୍ରଣ କରାଯାଉଛି ବୋଲି ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଦେଶର ପ୍ରାୟ ୧୦୦ଟି ଜଣାଶୁଣା ନଦୀରେ ବସର୍ଜନ ହୋଇଛି। କେବଳ ଉତ୍ତର ପ୍ରଦେଶର ୭୫ଟି ଜିଲ୍ଲାରେ ପ୍ରବାହିତ ହେଉଥିବା ପ୍ରାୟ ୧୬୩ଟି ନଦୀରେ ଅଟଳଙ୍କ ଚିତାଭସ୍ମ ବିସର୍ଜନ ହୋଇଛି।

ସମ୍ବନ୍ଧିତ ଖବର