ବିଷପାନ କରି ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ, ପ୍ରେମିକା ମୃତ, ପ୍ରେମିକଙ୍କୁୁ କଟକ ସ୍ଥାନାନ୍ତର

ପୁରୀ: ସମୁଦ୍ର କୂଳ ଥାନା ଅନ୍ତର୍ଗତ ଏକ ହୋଟେଲ ରୁମ୍‌ରେ ଶନିବାର ପ୍ରେମୀଯୁଗଳ ବିଷପାନ କରି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ଏଥିରେ ପ୍ରେମିକା ସଫଳ ହୋଇଥିବା ବେଳେ ପ୍ରେମିକ ବିଫଳ ହୋଇଛନ୍ତି। ଗୁରୁତର ପ୍ରେମିକଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ପୁରୀ ସମୁଦ୍ର କୂଳ ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ରହିବାକୁ ଆଜି ଏକ ପ୍ରେମୀଯୁଗଳ ଆସିଥିଲେ। କୌଣସି ବ୍ୟକ୍ତିଗତ କାରଣକୁ ନେଇ ଉଭୟ ବିଲରେ ବ୍ୟବହାର କରାଯାଉଥିବା କୀଟନାଶକ ଔଷଧ ପାନକରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବିଷ ପାନ କରିବା ପରେ ଉଭୟ ଛଟପଟ ହେଉଥିଲେ। ପ୍ରେମିକା ସମସ୍ତ ଘଟଣାକୁ ନିଜର ବନ୍ଧୁଙ୍କୁ ଫୋନ୍‌ରେ କହିଥିଲେ।

ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଞ୍ଚଳର କାଠଗୋଲା ବ୍ୟବସାୟୀ ଆଶିଷ ପ୍ରଧାନଙ୍କ ଫୋନ୍‌ କଲ ପାଇ ସାଙ୍ଗମାନେ ନିର୍ଦ୍ଧାରିତ ହୋଟେଲ ରୁମ୍‌ରେ ପହଞ୍ଚି, ପ୍ରେମୀଯୁଗଳଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ପରେ ଗୁରୁତର ଅବସ୍ଥାରେ ଆଶିଷଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସୂଚନା ମିଳିବା ପରେ ସମୁଦ୍ର କୂଳ ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତ ଯୁବତୀଙ୍କର ପରିଚୟ ମିଳିପାରି ନାହିଁ।

 

ସମ୍ବନ୍ଧିତ ଖବର