ମହାନଦୀ ଜଳ ବିବାଦ ନେଇ କେନ୍ଦ୍ରକୁ ବିରୋଧ : ବିଜେପିରୁ ଇସ୍ତଫା ଦେଲେ ସରପଞ୍ଚ ଓ ୫ ଓ୍ଵାର୍ଡ ସଭ୍ୟ

ନିମାପଡ଼ା : ଛତିଶଗଡ଼ରେ ଏକାଧିକ ବ୍ୟାରେଜ୍‌ ଓ ବନ୍ଧ ନିର୍ମାଣ ଯୋଗୁ ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀ ଶୁଖିଲା ପଡିଛି। ଖାଲି ମହାନଦୀ ନୁହେଁ, ଏହାର ଶାଖା ନଦୀଗୁଡ଼ିକ ମଧ୍ୟ ଶୁଷ୍କ ଅବସ୍ଥାରେ ରହିଛି। ନଦୀକୂଳ ଗ୍ରାମଗୁଡ଼ିକରେ ଜଳସ୍ତର କମିଯିବା ସହ ଘୋର ଜଳସଂକଟ ଦେଖାଯାଇଛି। ମହାନଦୀ ଅବବାହିକା ସମେତ ନଦୀପଠାଗୁଡ଼ିକରେ ଖରାଦିନିଆ ଚାଷ ଏବେ ବନ୍ଦ ହୋଇଯିବା ଅବସ୍ଥାରେ। ମହାନଦୀର ଏଭଳି ଅବସ୍ଥା ପାଇଁ କେନ୍ଦ୍ର ସରକାର ଏବଂ ବିଜେପିକୁ ଦାୟୀକରି ନିମାପଡ଼ା ବ୍ଲକ ଡେଣୁଅଁ ପଞ୍ଚାୟତ ସରପଞ୍ଚ ପବିତ୍ର ମୋହନ ମହାପାତ୍ର, ତାଙ୍କ ସମର୍ଥିତ ୫ ଜଣ ୱାର୍ଡର୍ ସଭ୍ୟ ଏବଂ ସମର୍ଥକମାନେ ବିଜେପିରୁ ଇସ୍ତଫା ଦେଇଛନ୍ତି। ଏକ ପତ୍ରଲେଖି ଶ୍ରୀ ମହାପାତ୍ର ବିଜେପି ରାଜ୍ୟ ସଭାପତିଙ୍କୁ ଏହା ଜଣାଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, କୁଶଭଦ୍ରା ନଦୀକୂଳରେ ତାଙ୍କ ପଞ୍ଚାୟତ ଅବସ୍ଥିତ। ନଦୀ ପଠାରେ ପୂର୍ବରୁ ବ୍ୟାପକ ପନିପରିବା ଚାଷ ହେଉଥିଲା। କିନ୍ତୁ ଚଳିତ ବର୍ଷ ନଦୀ ଶୁଖିଲା ପଡ଼ିବା ସହ ଭୂତଳ ଜଳସ୍ତର ୫୦ ଫୁଟ୍‌ ତଳକୁ ଖସିଯାଇଛି। ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ରେ ବ୍ୟାରେଜ ନିର୍ମାଣ ଯୋଗୁ ମହାନଦୀର ଶାଖା କୁଶଭଦ୍ରା ନଦୀ ଶୁଖିଲା ପଡିଛି। ଲୋକେ ଏବେ ଯେଉଁ ଦୁର୍ଦ୍ଦଶା ଭୋଗୁଛନ୍ତି ତାହା ଅବର୍ଣ୍ଣନୀୟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର