ସଚେତନତା ଧର୍ମୀ ଅଭିଯାନ ‘ମୋ ଧାମ ମୋ ଗର୍ବ’ ଉଦଯାପିତ, ସହରକୁ ସ୍ୱଚ୍ଛ ରଖିବାକୁ ଶପଥ ନେଲେ ପୁରୀବାସୀ

ପୁରୀ:  ଆଜି ସକାଳେ ସ୍ଥାନୀୟ ବ୍ଲୁ ଫ୍ଲଗ ବିଚରେ  ସମୁଦ୍ର ବେଳାଭୂମିର ମନୋରମ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ସଚେତନତା ଧର୍ମୀ ଅଭିଯାନ ‘ମୋ ଧାମ ମୋ ଗର୍ବ’ର ଉଦଯାପନୀ ଉତ୍ସବ I ଏଥିରେ  ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୁରୀକୁ ବିଶ୍ୱର ଏକ ସର୍ବଶ୍ରେଷ୍ଠ ଧାମରେ ପରିଣତ କରିବା ପାଇଁ ଜିଲ୍ଲା ପ୍ରଶାସନ , ପୁରୀ ପୌରପାଳିକା ଏବଂ ସମାଜର ସମସ୍ତ ବର୍ଗର ଲୋକଙ୍କ ପ୍ରୟାସକୁ ସାଧୁବାଦ ଦେଇଥିଲେ।  ଓଡ଼ିଶା ସରକାର ଏଥିରେ ସମସ୍ତ ସହଯୋଗ ପ୍ରଦାନ କରିଆସିଛନ୍ତି ଓ ଭବିଷ୍ୟତରେ କରିବେ ବୋଲି ପ୍ରତିଶ୍ରୁତି  ଦେଇଥିଲେ I

ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି ଅଭିଯାନ ଦ୍ୱାରା ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ବନ୍ଧରେ ଅସାଧାରଣ ସଚେତନତା ସୃଷ୍ଟି ହୋଇଥିବା ସେ ଲକ୍ଷ୍ୟ କରିଛନ୍ତି ବୋଲି କହିଥିଲେ I ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ଏହି ଅଭିଯାନର ଦୂରଗାମୀ ଲକ୍ଷ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ସହ ସ୍ୱାସ୍ଥ୍ୟ , ସ୍ୱଚ୍ଛତା ଏବଂ ପବିତ୍ରତା କିପରି ପୁରୀ ସହରକୁ ଏକ ଶ୍ରେଷ୍ଠ ସହର ଏବଂ ପୃଥିବୀର ଏକ ଅନ୍ୟତମ ବିଶିଷ୍ଟ ଧାମରେ ପରିଣତ କରିବ ତାହା ପ୍ରକାଶ କରିଥିଲେ I ପୁରୀ ପୌରପାଳିକା ଏକଜିକ୍ୟୁଟିଭ୍ ଅଫିସର  ବିଜୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜ ସ୍ୱାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ I

ଏହି ଅବସରରେ ପୁଲିସ ବ୍ୟାଣ୍ଡ ତରଫରୁ ପ୍ରାରମ୍ଭରେ ଜାତୀୟ ସଂଗୀତ ଏବଂ ଶେଷରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା I ସ୍ୱଚ୍ଛତା ଯାନରେ ଧଳା ବୋର୍ଡରେ ସାହି ସାହି ବୁଲି ସମସ୍ତ ବାସିନ୍ଦାଙ୍କ ଠାରୁ ନିଆ ଯାଇଥିବା ଶପଥ ଦସ୍ତଖତକୁ ପୃଷ୍ଠଭୂମିରେ ରଖି ସ୍ୱଚ୍ଛସାଥୀମାନେ ଏବଂ ଉପସ୍ଥିତ ସମସ୍ତେ ପୁରୀକୁ ସ୍ଵଚ୍ଛ ରଖିବା ପାଇଁ ଶପଥ ନେଇଥିଲେ I ମନ୍ତ୍ରୀ ଶ୍ରୀ ଜେନା ଏହି ଶପଥ ପାଠ କରାଇଥିଲେ I

ସମ୍ବନ୍ଧିତ ଖବର