ପୁରୀରେ ଶାସକ ଦଳ ଅଙ୍କ ଗୋଳମାଳିଆ; ଅନ୍ତଃକନ୍ଦଳ ଜୋର, ବିଜେଡିର ଏକାଧିକ ପ୍ରାର୍ଥୀ

ମହେଶ୍ବର ଓ ଶୁଭାଶି‌ଷ ଦେଇଛନ୍ତି ଅଲଗା ପ୍ରାର୍ଥୀ
୧୧ ପଞ୍ଚାୟତରେ ସଂଜୟଙ୍କ ଦବ୍‌ଦବା

ପୁରୀ : ବିଜେଡି ପାଇଁ ଗତ ସାଧାରଣ ନିର୍ବାଚନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ପୁରୀ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀରୁ ଦୁଇ ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ ପୁରୀ ସଦର ଓ ବ୍ରହ୍ମଗିରିକୁ ହରାଇବାକୁ ପଡ଼ିଥିଲା। ବିଜେଡି ବଦଳରେ ବିଜେପି ପ୍ରଥମ ଥର ପାଇଁ ଦୁଇ ଆସନକୁ ଅଭୂତପୂର୍ବ ଭାବେ ଦଖଲକୁ ନେଇଥିଲା। ବ୍ରହ୍ମଗିରି ଆସନ ଯେହେତୁ ସଦାସର୍ବଦା ଅସ୍ଥିରତା ଭିତରେ ରହି ଆସିଛି, କେତେବେଳେ କଂଗ୍ରେସ ତ କେତେବେଳେ ବିଜେଡି ଏଠାରେ ଗଡ଼ ଜିଣିଛି, ସେହି ଦୃଷ୍ଟିରୁ ବ୍ରହ୍ମଗିରିରେ ବିଜେଡି ହାରିବା ସେତେଟା ଆଚମ୍ବିତ କରି ନଥିଲା। କିନ୍ତୁ ପୁରୀ ଭଳି ଆସନରେ ଦୀର୍ଘ ୩୦ ବର୍ଷର ବିଜେଡି ଶାସନ ଭୁଶୁଡ଼ିପଡ଼ିବା କେବଳ ବିଜେଡି ମହଲରେ ନିରାଶାଭାବ ଭରି ଦେଇନଥିଲା, ରାଜ୍ୟ ରାଜନୀତିରେ ବି ଝଡ଼ ସୃଷ୍ଟି କରିଥିଲା।

ବ୍ରହ୍ମଗିରି ଆସନରୁ ବିଜେଡିରୁ ହାରିଥିବା ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା ବିଗତ ୩ ବର୍ଷ ଭିତରେ ୨୦୧୯ ନିର୍ବାଚନର କ୍ଷତିଭରଣା କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଲୋକଙ୍କ ନିକଟତ୍ତର ହୋଇ ଆଗାମୀ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିସାରିଲେଣି। ପୁରୀ ସଦର ନିର୍ବାଚନମଣ୍ଡଳୀରୁ ହାରିଥିବା ବିଜେଡିର ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି ବି ଲଢେଇ ଜାରି ରଖିଛନ୍ତି। ହେଲେ ଏହି ନିର୍ବାଚନମଣ୍ଡଳୀରେ ଦଳ ସଂଗଠିତ ହେବା ବଦଳରେ ବିଭାଜିତ ହେବାରେ ଲାଗିଛି। ଏଭଳି ସ୍ଥିତିରେ ପୁରୀ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଗୋଳମାଳିଆ ଧରିଲାଣି।
ପୁରୀ ସଦର ବ୍ଲକ୍‌ରେ ୩୦ଟି ପଞ୍ଚାୟତ ରହିଛି। କିନ୍ତୁ ନିର୍ବାଚନମଣ୍ଡଳୀ ଉପରେ ନଜର ପକାଇଲେ, ପୁରୀ ସଦର ବ୍ଲକ୍‌ ଉଭୟ ପୁରୀ ଓ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ରହିଛି। ପୁରୀ ସଦର ବ୍ଲକ୍‌ର ୩୦ଟି ପଞ୍ଚାୟତରୁ ୧୯ଟି ପଞ୍ଚାୟତ ପୁରୀ ନିର୍ବାଚନମଣ୍ଡଳୀ ଓ ୧୧ଟି ପଞ୍ଚାୟତ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ରହିଛି। ଏଣୁ ପୁରୀ ସଦର ବ୍ଲକ୍‌ର ୩୦ଟି ପଞ୍ଚାୟତରୁ ୧୯ଟି ପଞ୍ଚାୟତ ମହେଶ୍ବରଙ୍କ ଭାଗରେ ପଡ଼ିଥିବାବେଳେ ବାକି ୧୧ଟି ପଞ୍ଚାୟତ ସଂଜୟଙ୍କ ଭାଗରେ ରହିଛି।

୨୦୧୯ ସାଧାରଣ ନିର୍ବାଚନ ପୁରୀ ନିର୍ବାଚନମଣ୍ଡଳୀରେ ଅନେକ ପରିବର୍ତ୍ତନ ଆଣିଛି। ମହେଶ୍ବର ନିର୍ବାଚନରେ ହାରିବା ପରେ ତାଙ୍କ ବିକଳ୍ପ ଭାବେ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଉଭା ହୋଇଛନ୍ତି। ଦୁଇ ଗୋଷ୍ଠୀ ବି ଖୋଲାଖୋଲି ନିଜ ସଂଗଠନକୁ ନେଇ ବାରମ୍ବାର ଶକ୍ତି ପ୍ରଦର୍ଶନ କରି ସାରିଲେଣି। ଏହାରି ଭିତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ୍‌ ବାଜିଛି। ଆଉ ଏହି ପଞ୍ଚାୟତ ନିର୍ବାଚନରେ ଦୁଇପକ୍ଷରୁ ପ୍ରାର୍ଥୀ ବି ଛିଡ଼ା ହୋଇଛନ୍ତି। ମହେଶ୍ବର ସଦର ବ୍ଲକ୍‌ର ଯେଉଁ ଯେଉଁ ପଞ୍ଚାୟତରେ ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡମେମ୍ବର ପ୍ରାର୍ଥୀ ଦେଇଛନ୍ତି, ସେଠାରେ ସମଭାବରେ ଶୁଭାଶିଷ ବି ପ୍ରାର୍ଥୀ ଦେଇଛନ୍ତି। ଫଳରେ ବିଜେଡିର ଭୋଟ ବିଭାଜନ ହୋଇପାରେ। ବାକି ଅସନ୍ତୁଷ୍ଟ ସ୍ବାଧୀନ ଅବା ଅନ୍ୟ ଦଳରୁ ଛିଡ଼ା ହୋଇଛନ୍ତି।

ବ୍ରହ୍ମଗିରିରେ କିନ୍ତୁ ୨୦୧୯ ନିର୍ବାଚନ ପରିସ୍ଥିତି ଆଉ ନାହିଁ। ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସହିତ ସଂଜୟ ପୁଣି ଯୁଝିବା ଆରମ୍ଭ କଲେଣି। ବହୁ ବରିଷ୍ଠ ବିଜେପି, କଂଗ୍ରେସ ନେତା ଏ ଭିତରେ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି।ଏମିତିରେ ବି ସଦର ବ୍ଲକ୍‌ରୁ ସଂଜୟଙ୍କ ଭାଗରେ ଯେଉଁ ୧୧ଟି ପଞ୍ଚାୟତ ରହିଛି, ତାହା ବିଜେଡି ଗଡ଼ ବୋଲି କୁହାଯାଏ। ଏଠାରୁ ସଦାସର୍ବଦା ସଂଜୟ ସର୍ବାଧିକ ଭୋଟ୍‌ ପାଇ ଆସିଛନ୍ତି ଓ ନିର୍ବାଚନ ଜିଣିବାରେ ଏହି ପଞ୍ଚାୟତ ସବୁ ସଂଜୟଙ୍କୁ ସହଯୋଗର ହାତ ବଢ଼ାଇଛି। ଚଳିତ ପଞ୍ଚାୟତ ନିର୍ବାଚନରେ ବି ସଂଜୟଙ୍କ ଏହି ୧୧ଟି ପଞ୍ଚାୟତରେ ସେଭଳି ବିଭାଜନ ପରିସ୍ଥିତି ଉପୁଜିନି। ଏଣୁ ଚଳିତ ପଞ୍ଚାୟତ ନିର୍ବାଚନରେ ବି ସଂଜୟ ପୂର୍ବ ଦବ୍‌ଦବା ବଜାୟ ରଖିବେ ବୋଲି ରାଜନୈତିକ ମହଲ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର