ମହାପ୍ରଭୁ ଚୋର ଆଖ୍ୟାରୁ ବଞ୍ଚେଇଦେଲେ: ନୀଳକଣ୍ଠ ମିଶ୍ର

ପୁରୀ : ମହାପ୍ରଭୁଙ୍କ ସେବାରେ ଯେଉଁ ଆତ୍ମତୃପ୍ତି, ଅନ୍ୟ କେଉଁଥିରେ ନାହିଁ। ଶୁଦ୍ଧପୁତ ମନୋଭାବ ନେଇ କାମ କଲେ ମହାପ୍ରଭୁ ପାଖେ ପାଖେ ଥାନ୍ତି। ଅନେକବାର ମହାପ୍ରଭୁଙ୍କୁ ଅତି ନିକଟରୁ ଦେଖିଛି ଓ ଅନୁଭବ କରିଛି ବୋଲି କହିଛନ୍ତି ବରିଷ୍ଠ କବିରାଜ ନୀଳକଣ୍ଠ ମିଶ୍ର। ଅଭୁଲା ଅନୁଭୂତି ସଂପର୍କରେ କହିଲା ବେଳକୁ ତାଙ୍କ ଆଖି ଛଳଛଳ ହୋଇ ଯାଇଥିଲା। ଥରେ ଝିଅର ଦିଅର ବାହାଘର ଭୁବନେଶ୍ବର ମେଘନାଦ ହୋଟେଲରେ ଥାଏ। ଚାରିଆଡ଼େ ଏସି, କାଚ ବନ୍ଦ। ଅଣନିଃଶ୍ବାସୀ ଲାଗୁଥାଏ। ଝିଅ ସବୁବେଳେ ବଡ଼ ବ୍ୟାଗଟିଏ ଧରିଥାଏ। ଯେଉଁଥିରେ ଅଳଙ୍କାର, ୪୫ ହଜାର ଟଙ୍କା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷ ରହିଥିଲା। ଅନ୍ୟମନସ୍କରେ ଏହି ବ୍ୟାଗଟିକୁ ଝିଅ କୌଣସି ଜାଗାରେ ରଖି ଦେଇଥିଲା। ଅଧଘଣ୍ଟା ପରେ ମନେ ପଡ଼ିବାରୁ ଖୋଜାଖୋଜି କଲୁ। କିନ୍ତୁ ବ୍ୟାଗ୍‌ ମିଳିଲାନି। ହୋଟେଲ ମ୍ୟାନେଜରଙ୍କୁ ପଚାରିଲୁ, ସେ ବି କିଛି କହି ପାରିଲେନି। ସେତିକି ବେଳେ ମନକୁ ଶଙ୍କା ଆସିଲା। ବ୍ୟାଗ୍‌ରେ ଝିଅ ଶ୍ବଶୁରଙ୍କର ଟଙ୍କା ଥିଲା, କାଳେ ବାପା-ମାଙ୍କୁ ଝିଅ ଦେଇ ଦେଇଥିବେ ବୋଲି ସମାଲୋଚନାର ଶିକାର ହେବାକୁ ପଡ଼ିବ। ଏହି ଶଙ୍କାରେ କାନ୍ଦି ପକାଇଥିଲି। ଏତିକି ବେଳେ ମହାପ୍ରଭୁଙ୍କୁ ଅନେକ ନେହୁରା ହୋଇଥିଲି। କହିଥିଲି, ପ୍ରଭୁ ମତେ ଏହି ଅପବାଦରୁ ମୁକ୍ତି କର। ଏହି ସମୟରେ ହଠାତ୍ ମ୍ୟାନେଜର ଟର୍ଚ୍ଚ ଧରି ଖୋଜାଖୋଜି କଲେ। ଖୋଜାଖୋଜି ସମୟରେ ତିନି ତାଲା କୋଠା ଉପରେ କେହି ନେଇ ଭ୍ୟାନିଟି ବ୍ୟାଗ୍‌ ଲୁଚାଇ ରଖିଥିବା ଜଣାପଡ଼ିଥିଲା। ସେତିକିବେଳେ ଖୁସିରେ କାନ୍ଦି ପକାଇଥିଲି। କାରଣ ଏକ ବଡ଼ ଅପବାଦର ବୋଝ ମୁଣ୍ଡରୁ ଓହ୍ଲାଇ ଯାଇଥିଲା। ଜଗନ୍ନାଥଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲି। ସତରେ ଜଗନ୍ନାଥଙ୍କୁ ଯିଏ ମନ ଦେଇ ଭଲ ପାଇଛି, ତାକୁ ସେ କେବେ‌ ବି ବିପଦରେ ପକାଇନାହାନ୍ତି। ଏହା ଅକ୍ଷରେ ଅକ୍ଷରେ ସତ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର