ପୁରୀ: ୧୩ ବର୍ଷ ତଳେ ରୁପା ଇଟାକୁ ନେଇ ସାରାବିଶ୍ବରେ ଚର୍ଚ୍ଚାର ପରିସରକୁ ଆସିଥିଲା ପୁରୀର ଏମାର ମଠ। ସିଂହଦ୍ବାରରେ ଥିବା ଏହି ମଠରୁ ୫୨୨ ଖଣ୍ଡ ରୁପା ଇଟା ମିଳିବା ଘଟଣାକୁ ନେଇ ଯେତିକି ଚର୍ଚ୍ଚା ହୋଇଥିଲା, ତା’ଠାରୁ ଅଧିକ ଅବିଶ୍ବସନୀୟ ଥିଲା। ସେ ସମୟରେ କୋଟି କୋଟି ଟଙ୍କାର ଏହି ଗୁପ୍ତଧନ କେଉଁଠୁ ଆସିଲା, ତାକୁ ନେଇ ଅନେକ ଖୋଳତାଡ଼ ଆରମ୍ଭ ହୋଇଥିଲା। ଗୁପ୍ତଧନକୁ ଲୁଚାଇ ରଖିବା ଅଭିଯୋଗରେ ମଠ ମହନ୍ତଙ୍କଠାରୁ ଆରମ୍ଭ କରି ଅନେକ ଶିଷ୍ୟ ଓ ମଠରେ କାମ କରୁଥିବା ବ୍ୟକ୍ତି ଗିରଫ ହେଲେ। ଏହି ଘଟଣାକୁ ୧୩ ବର୍ଷ ବିତିଲାଣି, କିନ୍ତୁ ରୁପା ଇଟା ସେହିଭଳି ପୁଲିସର ଅସ୍ତ୍ରାଗାରରେ ଗଚ୍ଛିତ ହୋଇ ରହିଛି। ସେପଟେ ଏହାର ସୁରକ୍ଷା ଆଳରେ ଲକ୍ଷ ଲକ୍ଷ ଟଙ୍କା ବରବାଦ ହେଉଛି।
ଏଭଳି ସ୍ଥିତିରେ ୫୨୨ ଖଣ୍ଡ ରୁପା ଇଟାକୁ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଆଣିବାକୁ ଦାବି କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି, ଏବେ ମଠ ସମ୍ପତ୍ତି ହେଉଛି ମହାପ୍ରଭୁଙ୍କ ସମ୍ପତ୍ତି। ଯେହେତୁ ୫୨୨ ଖଣ୍ଡ ଇଟା ଏମାର ମଠର, ଏଣୁ ଏହା ମହାପ୍ରଭୁଙ୍କର। ଏହା ଆଉ କାହାରିକୁ ଦିଆଯାଇ ପାରିବ ନାହିଁ। ଏହାକୁ ପୁଲିସର ଜିଲ୍ଲା ଅସ୍ତ୍ରାଗାରରେ ନ ରଖି, ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଅଣାଯାଉ। ଯଦ୍ବାରା ଏହା ସୁରକ୍ଷିତ ରହିପାରିବ ଓ ମହାପ୍ରଭୁଙ୍କ କାମରେ ଲାଗିପାରିବ। ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଶ୍ରୀ ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ୨୦୧୧ ମସିହା ଫେବ୍ରୁଆରି ମାସ। ଜଣେ ବଣିଆଙ୍କୁ ରୁପା ଇଟା ବିକ୍ରି ଅଭିଯୋଗରେ ଢେଙ୍ଗାନାଳ ଜିଲ୍ଲା କୁତ୍ତମ ଗାଁର ବରୁଣ ବରାଳ ଓ ଅକ୍ଷୟ ଦାସ ପୁଲିସ ହାତରେ ଧରାପଡ଼ିଥିଲେ। ଦୁଇଜଣ ଏମାର ମଠରେ କାମ କରୁଥିଲେ। ଦୁଇଜଣଙ୍କୁ ପୁଲିସର ଜେରାପରେ ଖୋଲିଥିଲା ଏମାର ମଠର ରୁପା ଇଟା ରହସ୍ୟ। ବୟାନକୁ ଆଧାର କରି ଯାଞ୍ଚ ବେଳେ ଏମାର ମଠର ଏକ ବନ୍ଦ କୋଠରିରୁ ଗୋଟିଏ ପରେ ଗୋଟିଏ, ଏଭଳି ୫୨୨ ଖଣ୍ଡ ରୁପା ଇଟାର ସନ୍ଧାନ ପାଇଥିଲା ଜିଲ୍ଲା ପୁଲିସ।
କୋଠରିକୁ ଭାଙ୍ଗିବା ପରେ ୪ଟି କାଠ ସିନ୍ଦୁକରେ ଭର୍ତ୍ତି ହୋଇ ରହିଥିଲା ଏହି ୫୨୨ ଖଣ୍ଡ ରୁପା ଇଟା। ମାପ ପରେ ପ୍ରତି ଇଟାର ଓଜନ ୩୫ରୁ ୪୦ କେଜି ପର୍ଯ୍ୟନ୍ତ ରହିଥିଲା। ଆକଳନ ପରେ ରୁପା ଇଟାର ସର୍ବମୋଟ ଓଜନ ୧୮ ଟନ୍ ୮୭ କେଜି ବୋଲି ଜଣାପଡ଼ିଥିଲା। ଯେଉଁ ଇଟାରେ ବ୍ୟାଙ୍କକ୍, ସାଂଘାଇ, କାନାଡ଼ା ଭଳି ସ୍ଥାନର ନାମ ଉଲ୍ଲେଖ ରହିଥିଲା। ଏହି ଘଟଣାରେ ରୁପା ଇଟା କିଣିଥିବା ବଣିଆକୁ ବି ପୁଲିସ ଗିରଫ କରିଥିଲା। ସେ ସମୟରେ ଏହି ରୁପା ଇଟାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। କିଏ କହିଥିଲା, ରାଜରାଜୁଡ଼ା ଶାସନ କାଳରେ ଦାନସୂତ୍ରରେ ମଠକୁ ମିଳିଛି ତ କିଏ କହିଥିଲା, ଧନୀ ମଠ ଏମାର ଶ୍ରୀମନ୍ଦିରକୁ ଆବଶ୍ୟକ ସମୟରେ ଧାନ ଆଦି ଖାଦ୍ୟ ସାମଗ୍ରୀ ଯୋଗାଇବା ପ୍ରତିବଦଳରେ ରାଜାମାନେ ଏହି ଇଟା ଦାନ ଦେଇଛନ୍ତି। ଏହାବାଦ୍ ଆହୁରି ଅନେକ ଚର୍ଚ୍ଚା ବି ଲୋକଲୋଚନକୁ ଆସିଥିଲା। ସେତେବେଳକୁ ଅନେକ ଇଟା ଏ ଭିତରୁ ଚୋରି ହୋଇ ସାରିଥିଲା। ଯାହାର ତଦନ୍ତ ବି ପୁଲିସ ଆଜି ପର୍ଯ୍ୟନ୍ତ କରୁଛି। ସେପଟେ ଇଟା ଜବତ ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ପୁଲିସ ଲାଇନ୍ସ୍ଥିତ ଜିଲ୍ଲା ଅସ୍ତ୍ରାଗାରରେ ରଖାଯାଇଛି।
୨୦୧୮ରେ ଚେଷ୍ଟା କରି ବିଫଳ ହୋଇଥିଲେ ତତ୍କାଳୀନ ସରକାର, ସେବେ ଭିତରେ ଫାଟ ଥିବା ଜଣାପଡ଼ିଥିଲା
ପୁରୀ: ଦୀର୍ଘ ୪୦ ବର୍ଷ ପରେ ୨୦୧୮ ମସିହାରେ ରତ୍ନଭଣ୍ଡାର ଖୋଲିବାର ପ୍ରୟାସ ହୋଇଥିଲା। କିନ୍ତୁ ଏହା ବିଫଳ ହୋଇଥିଲା। ଗଣତି ଓ ମଣତି ସହ ଯାଞ୍ଚ ପାଇଁ ଗଠିତ ୧୭ଜଣିଆ ଉଚ୍ଚସ୍ତରୀୟ ରତ୍ନଭଣ୍ଡାର ଯାଞ୍ଚ କମିଟି ରତ୍ନଭଣ୍ଡାର ନ ଖୋଲି ଫେରି ଆସିଥିଲେ। ଶ୍ରୀମନ୍ଦିର ମରାମତିକୁ ନେଇ ଆଗତ ମାମଲାର ବିଚାର କରି ୨୦୧୮ ମସିହାରେ ହାଇକୋର୍ଟ ପ୍ରତ୍ନତତ୍ତ୍ବ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନକୁ ଏହାର ସବିଶେଷ ରିପୋର୍ଟ ମାଗିଥିଲେ। ପରେ ୨୦୧୮ମସିହା ମାର୍ଚ୍ଚ ମାସରେ ଏହି ମାମଲାର ପୁନଃବିଚାର କରି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ୍ ସରନ୍ ଓ ଜଷ୍ଟିସ୍ ବି ଆର ଷଡ଼ଙ୍ଗୀ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବାକୁ ପ୍ରତ୍ନତତ୍ତ୍ବ ବିଭାଗକୁ ଆଦେଶ ଦେଇଥିଲେ। ଏହାର ସବିଶେଷ ରିପୋର୍ଟ ୨୦୧୮ ମାର୍ଚ୍ଚ ୨୯ ତାରିଖ ସୁଦ୍ଧା ଦେବାକୁ ଆଦେଶ ଦେଇଥିଲେ। ସେହି ଅନୁଯାୟୀ ରତ୍ନଭଣ୍ଡାର ସ୍ଥିତି ଭଲ ନ ଥିବା ପ୍ରତ୍ନତତ୍ତ୍ବ ବିଭାଗ ହାଇକୋର୍ଟଙ୍କୁ ଅବଗତ କରିବା ପରେ ୨୦୧୮ ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ୧୭ଜଣିଆ କମିଟି ଗଠନ କରାଗଲା। ପ୍ରତ୍ନତତ୍ତ୍ବ ବିଭାଗ ବରିଷ୍ଠ ବିଶେଷଜ୍ଞ ସହ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଆଇନ ବିଭାଗ, ପୁଲିସ ପ୍ରଶାସନ ଆଦି ପ୍ରମୁଖ ବିଭାଗରୁ ୧୭ଜଣିଆ ସଦସ୍ୟ ଚୟନ କରାଗଲା। ଏହି କମିଟି ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଗଲେ ସତ, କିନ୍ତୁ ଅଧାରୁ ଫେରି ଆସିଲେ। ପରେ ଚାବି ହଜିବାର ବାହାନା କରାଗଲା। କିନ୍ତୁ ଏପ୍ରିଲ ୪ ତାରିଖରେ ଟର୍ଚ୍ଚ ଲାଇଟ୍ ପକାଇ ପ୍ରତ୍ନତତ୍ତ୍ବ ବିଭାଗ ଓ ଅନ୍ୟ ଅଧିକାରୀମାନେ ଆଖିରେ ଯାହା ଦେଖିଥିଲେ, ତାର ରିପୋର୍ଟ ଦେଲେ। ଯେଉଁଥିରେ ରତ୍ନଭଣ୍ଡାର ସ୍ଥିତି ଭଲ ନଥିବା ଦର୍ଶାଗଲା। ଏହା ମରାମତି ଆବଶ୍ୟକ ପଡ଼ୁଛି ବୋଲି କୁହାଗଲା। ରତ୍ନଭଣ୍ଡାରର ଅନେକ ସ୍ଥାନ ଫାଟି ପାଣି ଗଳୁଥିବାବେଳେ କାନ୍ଥ ଫମ୍ପାଳିଆ ଥିବା ଓ ଅନେକ ସ୍ଥାନରେ ଲୁହା ଦେଖାଯାଉଥିବା ବି କୁହାଗଲା। ଏହାସତ୍ତ୍ବେ ସରକାର, ଶ୍ରୀମନ୍ଦିର ପ୍ରଶାସନ, କେହି ବି ଏହାକୁ ଗୁରୁତ୍ବ ଦେଲେନି।
ଭିତର ଘୋର ଅନ୍ଧକାର, ଦୁଇ କାନ୍ଥରେ ରହିଛି ବଡ଼ ଗର୍ତ୍ତ
ରତ୍ନଭଣ୍ଡାରକୁ ନେଇ କିଛି ଜନଶୃତି ଓ ବିଶ୍ବାସ ରହସ୍ୟ ହୋଇ ରହିଛି। ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ସ୍ବର୍ଗତ ରବୀନ୍ଦ୍ର ନାରାୟଣ ମିଶ୍ର ନିଜ ଅନୁଭବକୁ ନେଇ ଭିଡିଓରେ ରଖିଥିବା ଏକ ବାର୍ତା ମୁତାବକ, ରତ୍ନଭଣ୍ଡାର ପରିସର ଘୋର ଅନ୍ଧକାର। ଏହା ମଧ୍ୟକୁ ସେ ଦୀପ ନେଇ ଯାଇଥିବାରୁ ପୂର୍ବ ଓ ପଶ୍ଚିମ କାନ୍ଥରେ ଦୁଇଟି ବଡ଼ ଗର୍ତ୍ତ ଥିବା ଦେଖିଛନ୍ତି। ଏହି ଗର୍ତ୍ତର ଆକାର ଏପରି ଥିଲା ଯେ, ଯେମିତି ତା ମଧ୍ୟରେ ଜଣେ ବ୍ୟକ୍ତି ସହଜରେ ଯାଇପାରିବ। ସେ ଏକଥା ବି କହିଛନ୍ତି, ଏହି ଗର୍ତ୍ତ ଦ୍ବୟ ଅଳଙ୍କାରର ସୁରକ୍ଷା ପାଇଁ କରାଯାଇଥିଲା। ସେ ଶୁଣିଥିବା ଜନଶୃତି ଆଧାର କରି କହିଥଲେ, ବାରମ୍ବାର ଶ୍ରୀମନ୍ଦିରକୁ ଅଣହିନ୍ଦୁମାନେ ଆକ୍ରମଣ କରୁଥିଲେ। ସେମାନେ ରତ୍ନଭଣ୍ଡାରରୁ ରତ୍ନ ଲୁଟି ନେବାର ଲକ୍ଷ୍ୟ ରଖୁଥିଲେ। ତେଣୁ ଆକ୍ରମଣ ହେଲେ ସେଇ ବାଟ ଦେଇ ରତ୍ନ ସୁରକ୍ଷିତ ସ୍ଥାନକୁ ନିଆଯାଉଥିଲା।
ଏହାବ୍ୟତୀତ ଭିତର ଭଣ୍ଡାରରେ ଆଉ ଏକ ଦ୍ବାର ଥିବା ସେ ତତ୍କାଳୀନ ତଢ଼ଉକରଣ ସୁଦର୍ଶନ ପଟ୍ଟନାୟକଙ୍କଠାରୁ ଶୁଣିଥିବା କହିଥିଲେ। ତାଙ୍କ କହିବା ମୁତାବକ, ତଢ଼ଉକରଣର ଏକ ରେକର୍ଡ ମୁତାବକ ଜଣେ ବ୍ୟକ୍ତିଙ୍କୁ ଉକ୍ତ ଦ୍ବାର (ସମ୍ଭବତଃ ଭୂମି ତଳକୁ ଦ୍ବାର ଥିଲା) ଦେଇ ଭିତରକୁ ଏକ ସିକାରେ ଛଡ଼ା ଯାଇଥିଲା। ଉକ୍ତ ବ୍ୟକ୍ତି ଜଣକ ମଶାଲ ଧରି ସିକାରେ ବସି ଦ୍ବାର ମଧ୍ୟ ଦେଇ ତଳକୁ ଯାଇଥିଲେ। କିଛି ସମୟ ପରେ ସିକା ଧରିଥିବା ବ୍ୟକ୍ତି ସିକାରେ ବ୍ୟକ୍ତି ଜଣକ ନଥିବା ଭଳି ଅନୁଭବ କଲେ। ସିକାକୁ ଉପରକୁ ଉଠାଇବା ପରେ ଦେଖିଲେ, ସେଥିରେ ମଶାଲ ଥିଲା ଏବଂ ସିକା ଉପରୁ ଦୁଇଟି ପାରା ଉଡ଼ିଯାଇଥିବା ଦେଖିବାକୁ ପାଇଥିଲେ। ତେବେ ଏହାର ସତ୍ୟାସତ୍ୟ ଯାଞ୍ଚ ହୋଇନାହିଁ ବୋଲି ମଧ୍ୟ ସେ କହିଥିଲେ। ସ୍ବର୍ଗତ ମିଶ୍ର ଏକଥା ମଧ୍ୟ କହିଥିଲେ, ସେ ଭିତର ରତ୍ନଭଣ୍ଡାରକୁ ଏକ ଦୀପ ନେଇ ଯାଇଥିଲେ ମଧ୍ୟ କେବେ ଚର୍ଚ୍ଚିତ ଦ୍ବାର ଦେଖିବାର ସୁଯୋଗ ପାଇନଥିଲେ। ଚାରିଆଡ଼େ ପ୍ରସ୍ତରର ଆସ୍ତରଣ ଦେଖିବାକୁ ପାଇଥିଲେ।
ଏଥର ରତ୍ନଭଣ୍ଡାର ଖୋଲିବା ସଫଳ ହେବ: ରାମଚନ୍ଦ୍ର ଦାସମହାପାତ୍ର
୨୦୧୮ ମସିହାରେ ରତ୍ନଭଣ୍ଡାର ଖୋଲିବା ବିଫଳ ହୋଇଥିଲା କେବଳ ତତ୍କାଳୀନ ଜିଲ୍ଲାପାଳଙ୍କ ପାଇଁ। ରତ୍ନଭଣ୍ଡାର ଖୋଲିବା ପାଇଁ ସେ ସାଙ୍ଗରେ ରତ୍ନଭଣ୍ଡାର ତାଲାର ଚାବି ନେଇନଥିଲେ। ଯେଉଁଥିପାଇଁ ୨୦୧୮ ମସିହାରେ ରତ୍ନଭଣ୍ଡାର ଯାଞ୍ଚ କମିଟି ରତ୍ନଭଣ୍ଡାର ଖୋଲିବା ଓ ଯାଞ୍ଚ କରିବା ସମ୍ଭବପର ହୋଇନଥିଲା। ଯାଞ୍ଚ କମିଟି ଉଦ୍ୟମ ବିଫଳ ହୋଇଥିଲା ବୋଲି କହିଛନ୍ତି ୨୦୧୮ ରତ୍ନଭଣ୍ଡାର ଯାଞ୍ଚ କମିଟିରେ ଥିବା ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର। ଶ୍ରୀ ଦାସମହାପାତ୍ର କହିଛନ୍ତି, ୨୦୧୮ ମସିହାରେ ଆମେ ବାହାର ରତ୍ନଭଣ୍ଡାର ଖୋଲିଥିଲୁ। କିନ୍ତୁ ଚାବି ନ ଥିବାରୁ ଭିତର ରତ୍ନଭଣ୍ଡାର ଖୋଲିବା ସମ୍ଭବପର ହୋଇନଥିଲା। ଭିତର ରତ୍ନଭଣ୍ଡାର ସେତେବେଳେ ଅଳନ୍ଧୁରେ ଭରି ଯାଇଥିଲା। ଏଣୁ ଅଳନ୍ଧୁ ସଫାସଫି କରିଥିଲୁ। ବାହାର ରତ୍ନଭଣ୍ଡାରରୁ ଭିତର ରତ୍ନଭଣ୍ଡାର ସ୍ଥିତି ଦେଖି ଚାଲି ଆସିଥିଲୁ। ଶ୍ରୀ ଦାସମହାପାତ୍ର କହିଛନ୍ତି, ଏଥର ନିଶ୍ଚିତ ରତ୍ନଭଣ୍ଡାର ଖୋଲିବା ସଫଳ ହେବ। ସରକାର ନିଶ୍ଚିତ ଏଥିରେ ସଫଳ ହେବେ। ଗଣତି ଓ ମଣତି ପ୍ରକ୍ରିୟା ବି ଠିକ୍ ଭାବେ ସଂପାଦନ ହେବ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ରତ୍ନଭଣ୍ଡାରରେ ସାପ ରହିଥିବା କଥା ଗୁଜବ। ରତ୍ନଭଣ୍ଡାରରେ ସେଭଳି ସାପ କିଛି ନାହିଁ। କେବଳ ଭୟଜାତ କରାଯାଉଛି ବୋଲି କହିଛନ୍ତି ଶ୍ରୀ ଦାସମହାପାତ୍ର।
ଏସ୍ଓପି ଆଧାରରେ ସୁରକ୍ଷା ବ୍ୟବସ୍ଥା: ଏସ୍ପି
ବର୍ତ୍ତମାନ ରତ୍ନଭଣ୍ଡାର ଖୋଲିବା ଉପରେ ପ୍ରସ୍ତୁତ ଏସ୍ଓପିର ତର୍ଜମା ଚାଲିଛି। ଚୂଡ଼ାନ୍ତ ଏସ୍ଓପି ହସ୍ତଗତ ହୋଇନି। ଚୂଡ଼ାନ୍ତ ଏସ୍ଓପି ଆଧାରରେ ଆମେ ସୁରକ୍ଷା ବ୍ୟବସ୍ଥା କରିବୁ। ଆଜି ଏହାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଯିବ ବୋଲି ପୁରୀ ଏସ୍ପି ପିନାକ ମିଶ୍ର କହିଛନ୍ତି।
ବର୍ଷା ପୂର୍ବରୁ ରତ୍ନଭଣ୍ଡାର ମରାମତି ହେଉ: ସୁଦର୍ଶନ ପଟ୍ଟନାୟକ
ମୁଁ ଆରମ୍ଭରୁ ରତ୍ନଭଣ୍ଡାର ସୁରକ୍ଷା ଓ ଆବଶ୍ୟକ ମରାମତି ପ୍ରସଙ୍ଗ ଉଠାଇ ଆସିଛି। ଏଣୁ ରତ୍ନଭଣ୍ଡାର ଖୋଲିଲେ ମରାମତି କିଭଳି ହେବ, ସେ ଦିଗରେ ଦୃଷ୍ଟି ଦିଆଯାଉ। ବର୍ଷା ପୂର୍ବରୁ ମରାମତି କାମ ଶେଷ ହେଉ। ପରେ ରତ୍ନ ଅଳଙ୍କାର ଗଣତି ଓ ମଣତି କରାଯାଉ ବୋଲି କହିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ସଦସ୍ୟ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି, ଗତବର୍ଷଠାରୁ ରତ୍ନଭଣ୍ଡାର ସୁରକ୍ଷା ଓ ମରାମତି ପ୍ରସଙ୍ଗ ଉଠାଇ ଆସୁଛି। ଆଜି ରତ୍ନଭଣ୍ଡାର ଖୋଲିବାକୁ ଯାଉଛି, ଖୁସି ଲାଗୁଛି। ରତ୍ନଭଣ୍ଡାର ଯାଞ୍ଚ କମିଟିର ମୁଖ୍ୟ ଜଷ୍ଟିସ ବିଶ୍ବନାଥ ରଥଙ୍କ ଉପରେ ବିଶ୍ବାସ ଅଛି। ସେ ଯାହା କରିବେ, ଠିକ୍ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।