ବ୍ରହ୍ମଗିରିରେ ପକ୍ଷୀ ଗଣନା: ସଂଖ୍ୟା ବଢିଲା, ପ୍ରଜାତି କମିଲା, ଆସିଲା ନୂଆ ଅତିଥି ‘ଗ୍ରୀନ୍‌ ସ୍ୟାଙ୍କ’

ବ୍ରହ୍ମଗିରି: ପୁରୀ ଜିଲ୍ଲା ଚିଲିକା ଉପକୂଳ ବର୍ତ୍ତି ବ୍ରହ୍ମଗିରିରେ ଗୁରୁବାର ପକ୍ଷୀ ଗଣନା ଶେଷ ହୋଇଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିଥିବା ବେଳେ ପ୍ରଜାତି ସଂଖ୍ୟା କମିଥିବା ଗଣନା ରିପୋର୍ଟରୁ ଜଣାପଡିଛି । ପକ୍ଷୀଗଣନାକାରୀ ଟିମ ୩ ଭାଗରେ ବିଭକ୍ତ ହୋଇ ବ୍ରହ୍ମଗିରି ଅଂଚଳରେ ପକ୍ଷୀ ଗଣନା କରିଥିଲେ। ନୂଆ ଜଗନ୍ନାଥ ସଡକରୁ ପଥରପଦା ଓ ହନ୍ତୁକ, ନୂଆ ବସଷ୍ଟାଣ୍ଡ ଠାରୁ ଗୋଲରା ଓ ସୁନାମୁହିଁ ଛକ ଠାରୁ ବରୋକୁଦି । ୧୦ଜଣ ଗଣନାକାରି ରହିଥିଲେ । ଏସିଏଫ୍‌ ପ୍ରଶାନ୍ତ କୁମାର ସ୍ୱାଇଁ ଓ ଏସିଏଫ୍‌ ବିରଞ୍ଚ ନାରାୟଣ ସାମଲ ଏବଂ ରେଂଜ ଅଧିକାରୀ ରଜତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବାଇନାକୁଲାର ଓ ଆଖି ଦେଖାରେ ଗଣନା ହୋଇଥିଲା । ଯେଉଁଠାରେ ହଜାରେରୁ ଅଧିକ ପକ୍ଷୀ ଦେଖିବାକୁ ମିଳିଥିଲେ ସେଠାରେ ବ୍ଲକ୍‌ କରି ଅର୍ଥାତ ଭାଗ କରି ଗଣନା ହୋଇଥିଲା ।

ଚଳିତ ବର୍ଷ ମୋଟ ୫୫ହଜାର ୪୭୪ଟି ବିଦେଶାଗତ ଅତିଥି ପକ୍ଷୀ ଆସିଥିବା ବନ ବିଭାଗ କହିଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ୯ହଜାର ୨୩୮ଟି ପକ୍ଷୀ ଅଧିକ ଆସିଛନ୍ତି । ମୋଟ ୫୦ ପ୍ରଜାତିର ବିଦେଶାଗତ ଅତିଥି ପକ୍ଷୀ ଆସିଛନ୍ତି । ନୂଆ ଅତିଥି ଭାବରେ ଗ୍ରୀନ ସ୍ୟାଙ୍କ ନାମକ ଏକ ସାଇବେରିଆରୁ ଆସିଥିବା ବିଦେଶାଗତ ଅତିଥି ପକ୍ଷୀ ଠାବ ହୋଇଛି । ଏହା ମାତ୍ର ଦୁଇଟି ଆସିଥିବା ଗଣନା ବେଳେ ଜଣାପଡିଛି । ସବୁଠାରୁ ଅଧିକ ବ୍ଲାକ୍‌ ଟେଲ ଗଡଉଇଟ ୧୩ ହଜାର ୭୦୨ଟି ଆସିଥିବା ବେଳେ ଗଡଉଇଟ ୯ହଜାର ୨ଟି ଆସିଛନ୍ତି । ଲାର୍ଜ ହୁଇସିଲଙ୍ଗ ଡକ ୨୧୦ଟି ନର୍ଦ୍ଦନ ପିଣ୍ଟେଲ ୫ହଜାର ୨୪୪ ଏବଂ ଲାର୍ଜର ଟିଲ ମାତ୍ର ୨୭ଟି ଆସିଛନ୍ତି ବୋଲି ଏସିଏଫ୍‌ ବିରଞ୍ଚ ନାରାୟଣ ସାମଲ କହିଛନ୍ତି । ଗତ ବର୍ଷ ଏହି ରେଂଜରେ ୬୦ ପ୍ରଜାତିର ବିଦେଶାଗତ ଅତିଥି ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ୧୦ ପ୍ରଜାତିର କମ ପକ୍ଷୀ ଆସିଛନ୍ତି ।

ପୂର୍ବ ୩ ବର୍ଷର ରେକର୍ଡ ଠାରୁ ଚଳିତ ବର୍ଷ ସବୁଠୁ ଅଧିକ ପକ୍ଷୀ ଆସିଛନ୍ତି । ପୂର୍ବ ବର୍ଷ ପୁରୀ ଡିଭିଜନରେ ବ୍ରହ୍ମଗିରି ରେରେ ସବୁଠାରୁ ଅଧିକ ବିଦେଶାଗତ ଅତିଥି ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଥିବା ସେ କହିଛନ୍ତି । ଗତ ବର୍ଷ କମନ ହୁପସ୍‌ ନାମକ ନୂଆ ଅତିଥି ଆସିଥିବା ବେଳେ ଚଳିତ ବର୍ଷ ଏହି ପ୍ରଜାତି ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ପୂର୍ବ ଦୁଇ ବର୍ଷର ପ୍ରଜାତି ଠାରୁ ବେଶ କମ ପ୍ରଜାତି ଆସିଥିବା ଗଣନା ବେଳେ ଜଣାପଡିଛି । ଏହି ଗଣନାରେ ପକ୍ଷୀ ବିଶାରଦ ଆକାଶ ରନ ରଥ, ବିଶ୍ୱଜିତ ପରିଡା, ଫରେଷ୍ଟର ପ୍ରଶାନ୍ତ କୁମାର ସୁନ୍ଦରା, ପ୍ରଶନ୍ନ କୁମାର ପତି, କାଳୀ ଚରଣ ମହାନ୍ତି, ଭୀମସେନ ଜେନା, ସନ୍ତୋଷ ପ୍ରସାଦ ମିଶ୍ର, ଲିକୁ ମହାପାତ୍ର, ଉପେନ୍ଦ୍ର ମହାନ୍ତି ପ୍ରମୂଖ ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର