ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗ ଅଭିମୁଖେ ଓଡ଼ିଆ ପୁଅ

ପୁରୀ: ପୁରୀ ଜିଲ୍ଲା ରଘୁରାଜପୁରର ଯୁବ ପର୍ବତାରୋହୀ ଚିନ୍ମୟ ମହାରଣା ସାଉଥ୍ ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗ ଆରୋହଣ ଲକ୍ଷ୍ୟରେ ଯାତ୍ରା ଆରମ୍ଭ କରିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସମର୍ଥ ବର୍ମା ଚିନ୍ମୟଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିଥିଲେ। ଏଥିସହିତ ଯାତ୍ରାର ଶୁଭାରମ୍ଭ କରିବା ସହ ଶୁଭେଚ୍ଛା ଜଣାଇ ସଫଳତା କାମନା କରିଥିଲେ।

ଚିନ୍ମୟ ଚଳିତ ମାସ ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ସାଉଥ୍ ଆଫ୍ରିକାର କିଲିମାଞ୍ଜାର ଶୃଙ୍ଗର ୧୯,୩୪୧ ଫୁଟ ଆରୋହଣ କରିବା ସହ ପର୍ବତ ଶିଖରରେ ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜ୍ଜୁନ ବେଶର ପଟ୍ଟଚିତ୍ର ଓ ଜାତୀୟ ପତାକାକୁ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସାଉଥ୍ ଆଫ୍ରିକାର ଟୁର୍ ଆଣ୍ଡ ସଫାରି ପକ୍ଷରୁ ତାଙ୍କୁ ଅନୁମତି ପତ୍ର ମଧ୍ୟ ପ୍ରାପ୍ତ ହୋଇଛି। ଏହି କାର୍ଯ୍ୟ ପାଇଁ ରାଜ୍ୟ ସରକାର,ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଖଣି ନିଗମ ପକ୍ଷରୁ ତାଙ୍କୁ ସହଯୋଗ ପ୍ରଦାନ କରାଯାଇଛି। ସେହିପରି ଖେଲୋ ଇଣ୍ଡିଆ ପାଇଁ ଜିଲ୍ଲାରୁ ୧୮ ବର୍ଷରୁ କମ୍ ବର୍ଗରେ ସୌମ୍ୟରଞ୍ଜନ ଦାଶ ଓ  ସତ୍ୟ ନାରାୟଣ ବେହେରା ହରିୟାଣାର ପଞ୍ଚକୁଲାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଥିବାରୁ ଜିଲ୍ଲାପାଳ ପୁଷ୍ପଗୁଚ୍ଛ ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ  ପ୍ରଦୀପ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ  ଚନ୍ଦନ କୁମାର ସାହୁ, ଅନ୍ତର୍ଜାତୀୟ ପର୍ବତାରୋହୀ  ଗଣେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଶ୍ରୀ ମହାରଣା ପର୍ବତାରୋହଣ କୋର୍ସ୍ କରିବା ପରେ ହିମାଚଳ ପ୍ରଦେଶର ସେତଧାରା, ମନାଲିର ଲାମ୍ବାଡୁଗ, ରାଣିସୁଇ, ଲାଦାଖର ଷ୍ଟକ୍ କାଂଗ୍ରି, ହିମାଳୟ କିକିମର ପାଲୁଗଂ-୨ ଓ ୟୁନମ, ଉତ୍ତର କାଶୀର ଦରୱା ଓ ରୁଡୁ ଗଇରା ଶିଖରକୁ ସଫଳତାର ସହ ଅତିକ୍ରମ କରିଥିଲେ।

ସମ୍ବନ୍ଧିତ ଖବର