ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଆଜି ସକାଳେ ଜଣେ ବୃଦ୍ଧାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ସେହି ବୃଦ୍ଧାଙ୍କର ବୟସ ୬୦ରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।
ସୂଚନା ଅନୁଯାୟୀ, ବଳଙ୍ଗା ଥାନା ଅନ୍ତର୍ଗତ ଗୋପୀନାଥପୁର ରଙ୍ଗଣୀ ସାହିରେ ଆଜି ସକାଳେ ଜଣେ ବୃଦ୍ଧାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ଥିବାର ଲୋକେ ଦେଖିବାକୁ ପାଇଥିଲେ। ସେମାନେ ଏନେଇ ବଳଙ୍ଗା ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ଏଣେ ଜଣେ ଯୁବକ ମୃତଦେହଟି ତାଙ୍କ ମାଆଙ୍କର ବୋଲି ଦାବି କରୁଛି। ତେବେ କେଉଁ କାରଣରୁ ତାଙ୍କ ମାଆ ପୋଡ଼ି ହୋଇଯାଇଥିଲେ, ସେନେଇ ସେ ମୁହଁ ଖୋଲନଥିବା ଜଣାଯାଇଛି।
ପୁଲିସ୍ ଉକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ତେଣେ ବ୍ୟବଚ୍ଛେଦ ଲାଗି ମୃତଦେହକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ପୁଲିସ୍। ଶବ ବ୍ୟବଚ୍ଛେଦ ରିବପାର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି।