ପୁରୀ : ଚାକିରି ଦେବା ନାଁରେ ହୋଇଛି ବଡ଼ଧରଣର ଠକେଇ। ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗରେ ଚାକିରି କରାଇ ଦେବାକୁ କହି ଏହି ବିଭାଗର ଜଣେ କର୍ମଚାରୀ ଆଶାୟୀଙ୍କ ଠାରୁ ଠକି ନେଇଛନ୍ତି ପ୍ରାୟ କୋଟିଏ ଟଙ୍କା। ଠକ ଜାଲରେ ଫସିଯାଇଥିବା ଜାଣିବା ପରେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ସଂପୃକ୍ତ ନିଯୁକ୍ତି ଆଶାୟୀମାନେ। ସେମାନଙ୍କ ଅଭିଯୋଗକ୍ରମେ ଟାଉନ ଥାନା ପୁଲିସ ଏହି ଘଟଣାରେ ଜଣକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ତାକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛିି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନା ଅନୁସାରେ, ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଙ୍ଗାରଗାଡ଼ିଆର ସନନ୍ଦନ ପାତ୍ରଙ୍କର ୨୦୧୩ ମସିହାରେ ଏସ୍ସିଏସ୍ କଲେଜ ପାଖ ମିଶ୍ର ସାହିର ବିଭୂତି ମିଶ୍ରଙ୍କ ସହିତ ପରିଚୟ ହୋଇଥିଲା। ବିଭୂତି ପୂର୍ତ୍ତ ବିଭାଗରେ ଚାକିରି କରାଇ ଦେବାକୁ କହି ଦତ୍ତତୋଟାରେ ରହୁଥିବା ବଳଙ୍ଗା ଥାନା ଅନ୍ତର୍ଗତ ଅଲଣ୍ଡାପଡ଼ାର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସହିତ ତାଙ୍କୁ ସାକ୍ଷାତ କରାଇ ଦେଇଥିଲେ। ବିଭୂତି ନିଜକୁ ପୂର୍ତ୍ତ କାର୍ଯ୍ୟାଳୟରେ ହିସାବ ରକ୍ଷକ ଓ ପୂର୍ଣ୍ଣଚନ୍ଦ୍ର ବରିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିବା ତାଙ୍କୁ କହିଥିଲେ। ଅନେକ ଯୁବକଙ୍କୁ ସେ ଏହି ବିଭାଗରେ ଚାକିରି କରାଇ ଦେଇଥିବା କହି ତାଙ୍କୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସ୍ୱାକ୍ଷର ଥିବା ୨ ଜଣ ଯୁବକଙ୍କ ନିଯୁକ୍ତିପତ୍ର ଦେଖାଇଥିଲେ। ଏଥିରେ ବିଶ୍ୱାସ କରି ସନନ୍ଦନ ଚାକିରି ପାଇଁ ବିଭୂତିଙ୍କ ଉପସ୍ଥିତିରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ। ସେମାନେ ଆଉ କିଛି ଯୁବକଙ୍କୁ ମଧ୍ୟ ଚାକିରି ଦେଇପାରିବେ ବୋଲି କହିବାରେ ସେମାନଙ୍କ କଥାରେ ବିଶ୍ୱାସ କରି ସନନ୍ଦନ ତାଙ୍କ ଭାଇ ସନକ ପାତ୍ର, ସାଙ୍ଗ ପ୍ରଶାନ୍ତ ଆଚାର୍ଯ୍ୟ, ପ୍ରଶାନ୍ତ ବେହେରା ଓ ସଦାଶିବ ଜେନାଙ୍କୁ ଏ କଥା ଜଣାଇଥିଲେ। ସେମାନେ ମଧ୍ୟ ଚାକିରି ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଉଭୟଙ୍କୁ ଧରାଇ ଦେଇଥିଲେ। ଇତି ମଧ୍ୟରେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ କୌଣସି ଚାକିରି ମିଳିନଥିଲା।
ଠକେଇର ଶିକାର ହୋଇଥିବା ଜାଣି ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ। ସେମାନଙ୍କ ଛଡ଼ା ପୂର୍ଣ୍ଣଚନ୍ଦ୍ର ଓ ବିଭୂତି ଅନେକ ଆଶାୟୀଙ୍କଠାରୁ ପ୍ରାୟ କୋଟିଏ ଟଙ୍କା ଠକି ନେଇଥିବା ଇନସ୍ପେକ୍ଟର ଉମାଶଙ୍କର ସିଂହ କହିଛନ୍ତି। ଏହି ଘଟଣାରେ ପୂର୍ଣ୍ଣଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ବିଭୂତିଙ୍କୁ ଖୁବ୍ ଶିଘ୍ର ଧରାଯିବ ବୋଲି ସେ କହିଛନ୍ତି।