ଜମି ବିବାଦ ନେଇ ରକ୍ତାକ୍ତ ସଂଘର୍ଷ: ୧ମୃତ, ୩ ଗୁରୁତର

କାକଟପୁର : କାକଟପୁର ଥାନା ଅଧୀନସ୍ଥ କୁଷ୍ଟି ଗ୍ରାମର ଦୁଇ ସ୍ୱାଇଁ ପରିବାର ମଧ୍ୟରେ ଲାଗିଥିବା ଜମିଜମା ବିବାଦ ଉଗ୍ରରୂପ ନେଇଛି । ଗତକାଲି ପୂର୍ବାହ୍ଣରେ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ପ୍ରବୀର ସ୍ୱାଇଁଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଶବକୁ ଉତ୍ତ୍ୟକ୍ତ ଗ୍ରାମବାସୀମାନେ କାକଟପୁର ଥାନା ସମ୍ମୁଖରେ ରଖି ରାସ୍ତାରେ ଟାୟାର ଜାଳି ଦୀର୍ଘ ୩ଘଣ୍ଟା ଧରି ଅବରୋଧ କରିଥିଲେ । ସ୍ଥାନୀୟ ପୋଲିସ୍‌ ପ୍ରଶାସନର ଅବହେଳା ଯୋଗୁଁ ପ୍ରବୀରଙ୍କ ଜୀବନ ଅକାଳରେ ଚାଲିଗଲା ବୋଲି ଅଭିଯୋଗ କରି ବିକ୍ଷୋଭକାରୀମାନେ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ସହିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଥିଲେ । ଖବର ପାଇ କାକଟପୁର ତହସିଲଦାର ରୋଜିନା ଦାସ, ଅତିରିକ୍ତ ତହସିଲଦାର ଅକ୍ଷୟ ପଟ୍ଟନାୟକ ପ୍ରମୁଖ ଘଟଣାସ୍ଥଳରେ ପହଂଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିଥିଲେ । ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ତହସିଲଦାର ଶ୍ରୀମତୀ ଦାସ ପ୍ରତିଶ୍ରୁତି ଦେବା ସହିତ ଶବ ସତ୍କାର ପାଇଁ ରେଡକ୍ରସ ପାଣ୍ଠିରୁ ଦୁଇ ହଜାର ଟଙ୍କା ପ୍ରଦାନ ପରେ ରାସ୍ତାରୋକ ହଟିଥିଲା ।

ସୋମବାର ପୂର୍ବାହ୍ଣ ୧୧ଟାରେ ଜମିଜମା ବିବାଦକୁ ନେଇ ପ୍ରବୀରଙ୍କ ପରିବାର ଓ ଅନ୍ୟ ଏକ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ଉଭୟପକ୍ଷର ଆହତ ହୋଇଥିବା ବେଳେ ପ୍ରବୀର ସ୍ୱାଇଁ ଗୁରୁତର ଆହତ ହୋଇ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ତେବେ ବିଳମ୍ବିତ ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପିତା ଭ୍ରମରବର ସ୍ୱାଇଁ ମୃତ୍ୟୁ ସହିତ ଏବେ ସଂଗ୍ରାମ କରୁଛନ୍ତି । ପୁତ୍ର ଲିଙ୍ଗରାଜ ସ୍ୱାଇଁ ଏବଂ ପ୍ରବୀରଙ୍କ ପତ୍ନୀ ଝୁମଲତା ସ୍ୱାଇଁ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ସଂଘର୍ଷ ନେଇ କୌଣସି ପକ୍ଷରୁ କାକଟପୁର ଥାନାରେ ଏତଲା ଦିଆଯାଇନାହିଁ।

ସମ୍ବନ୍ଧିତ ଖବର